ତୀକ୍ଷଣ ନଜରରେ ବିଦେଶରୁ ଫେରିଥିବା ୧୭ଜଣ ଗଜପତି ବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲାପାଳଙ୍କ ସମ୍ମିଳନୀ ଗୃହଠାରେ କରୋନା କବଳରୁ ଗଜପତି ଜିଲ୍ଲାବାସୀଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ଏକ ଖବରଦାତା ସମ୍ମିଳନୀ ଜରିଆରେ ଜିଲାପାଳ ଅନୁପମ ସାହା ଦେଇଛନ୍ତି । ଗଜପତି ଜିଲ୍ଲାକୁ ବିଦେଶରୁ ୧୭ଜଣ ଫେରି ଆସିଛନ୍ତି । ଏହାଛଡା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ଓ ତେଲାଙ୍ଗାନା ଆଦି ବିଭିନ୍ନ ଅଞ୍ଚଳରୁ ଫେରି ଆସିଥିବା ଲୋକଙ୍କ ପ୍ରତି ମଧ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷଣ ଦୃଷ୍ଟି ରଖିବା ସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗଠିତ ଟିମ୍ ସମ୍ପୃକ୍ତ ଅଞ୍ଚଳ ମାନଙ୍କରେ ସଜାଗ ରହିଛନ୍ତି । ଆଜି ଠାରୁ ସମଗ୍ର ଗଜପତି ଜିଲ୍ଲାରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରୀ କରାଯାଇଛି ।ଏ ନେଇ ୧୪୪ଧାରା ଜାରି କରାଯାଇଥିବା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ପାରଳା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପାରଳା ସହରରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାରେ ସଭା, ଜନ ସମାବେଶ ଓ ମେଳାକୁ ବନ୍ଦ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବା ସହ ଅଙ୍ଗନବାଡି କେନ୍ଦ୍ରକୁ ଆସନ୍ତା ୩୧.୦୩.୨୦୨୦ ପର୍ଯ୍ୟନ୍ତବନ୍ଦ ରଖା ଯାଇଛି । ସାମାଜିକ ଏବଂ ଧାର୍ମିକ ଉତ୍ସବକୁ ଠିକ ଭାବେ ନିୟନ୍ତ୍ରଣରେ ରଖି ପରିଚାଳନା କରିବାପାଇଁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସିନେମାହଲ, ସୁଇମିଂପୁଲ ଏବଂ ଜିମ୍ ଗୁଡିକ ବନ୍ଦ ରଖାଯାଇଛି । ସେହିପରି ପଞ୍ଚାୟତ ସମିତି ସଭ୍ୟ, ଜିଲାପରିଷଦ ଓ ନିର୍ବଚିତ ସଭ୍ୟମାନଙ୍କୁ ସଚେତନତା କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମିଶନ ଶକ୍ତି ପକ୍ଷରୁ ଛୋଟ ଛୋଟ ସଭା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସଚେତନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଜନଗହଳି ସ୍ଥାନରେ ହୋଡିଂ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର କୁହାଯାଉଥିବା ଚନ୍ଦ୍ରଗିରିର ବୈଦ୍ଧ ମହାବିହାର ଓ ଗଣ୍ଡାହାତୀ ଜଳପ୍ରପାତକୁ ପର୍ଯ୍ୟଟକ ଯିବାପାଇଁ ରୋକ ଲଗାଯାଇଛି । ଭାଇରସ ଉପରେ ଭୁଲ ସୂଚନା ପ୍ରଚାର କରିବା ଏବଂ ଦାୟୀତ୍ୱହୀନ ଭାବେ ମନ୍ତବ୍ୟ ଦେବା ବ୍ୟକ୍ତିଙ୍କୁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲାରେ ହେଉଥିବା ସାପ୍ତାହିକ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପ୍ରତି ପଞ୍ଚାୟତରେ ଗୋଟିଏ ବିଲିଂଡିକୁ ଚିହ୍ନଟକରି ତାକୁ ସଂରକ୍ଷଣ ରଖିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟିୟୁସନ ଏବଂ କୋଚିଂ ସେଣ୍ଟରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାରଳାଖେମୁଣ୍ଡି ଠାରେ ସପିଂ ମଲଗୁଡିକୁ ବନ୍ଦ ରଖିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜିଲାର ସମସ୍ତ ସରକାରୀ ସରକାରୀ କର୍ମଚାରୀମାନଙ୍କ ଛୁଟିକୁ ରଦ୍ଦ କରାଯିବା ସହ ଯେଉଁ ମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି ସେମାନେ ମଧ୍ୟ ନିଜ କର୍ମକ୍ଷେତ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାନଟାଇଜର ଓ ମାସ୍କ କିପରି ଚଢାଦରରେ ବିକ୍ରିନହେବ ସେଥିପାଇଁ ଜିଲା ଯୋଗାଣ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ନେଇ ସ୍କାର୍ଡ ତିଆରି କରାଯାଇଛି । ସମସ୍ତ କାର୍ଯ୍ୟକୁ ତଦାରଖ କରିବାପାଇଁ ମୋଟ ୭ଗୋଟି ବ୍ଲକରେ ୭ଟି ସ୍କାର୍ଡ ଓ ପାରଳାଖେମୁଣ୍ଡିରେ ଗୋଟିଏ ଏହିପରି ମୋଟ ୮ଗୋଟି ସ୍କାର୍ଡ ଜିଲାରେ ଗଠନ କରାଯାଇଥିବା ଜଣାପଡିଛି । ଖବରଦାତା ସମ୍ମିଳନୀରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।