‘ମିଶନ ୧୨୦+’ ବନାମ ଓଡ଼ିଶା ଜନାଦେଶ

ବିପିନ ବିହାରୀ ମହାନ୍ତି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସି ଯେଉଁଦିନ ନବୀନ ସରକାରଙ୍କୁ ତାତ୍ସଲ୍ୟ ଏବଂ ଅସୌଜନ୍ୟ ଭାଷା ଇତ୍ୟାଦି ପ୍ରୟୋଗ କରି କହିଥିଲେ ଯେ “ନବୀନ ସରକାର ପୋଡ଼ା ଟ୍ରାନ୍ସଫର୍ମର, ତାଙ୍କୁ ଓପାଡ଼ି ଦେବୁ ଏବଂ ବଙ୍ଗୋପସାଗରକୁ ଫିଙ୍ଗି ଦେବୁ ।” ସେହିଦିନ ସେ ତାଙ୍କ ଭାଷଣରେ ଦୃଢ଼ୋକ୍ତି ଦେଇଥିଲେ ଯେ, ଓଡ଼ିଶାରେ ତାଙ୍କ ଦଳ ୧୨୦+ ଆସନ ନିଶ୍ଚୟ ଜିତିବ । ସେହି ସମୟରେ ଏହି ସ୍ତମ୍ଭାକାର ପ୍ରକାଶ କରିଥିଲେ ଯେ, ପ୍ରକୃତରେ ବିଜେପି ୧୨୦ ଆସିବ ବା ଶୂନ୍ କଟି ୧୨ ଆସି ବା ୧ କଟି ୨୦ ଆସିବ ତାହା ଭବିଷ୍ୟତ କହିବ । ଯେତେଥର ଶାହା ଆସିଛନ୍ତି ସେତେଥର ଶାଣିତ ଏବଂ ଔଦ୍ଧତ୍ୟ ଭାଷାରେ ସେ ନବୀନ ସରକାରଙ୍କ ଯେଝାତା କହିଛନ୍ତି । ବୋଧହୁଏ ଏମିତି ଭାଷା ଜଣେ ରାଜନୀତିଜ୍ଞ ପୃଥିବୀରେ କେଉଁଠି ହେଲେ ବ୍ୟବହାର କରିବାର ଜଣାନାହିଁ । ମୋଦି ମଧ୍ୟ କମ୍ ନୁହଁନ୍ତି । କାରଣ ସେ ଗୋଟିଏ ଦଳର ଲାଉ । ମୋଦିଙ୍କ ଭାଷାରେ “ନବୀନ ସରକାର ପିସି ସରକାର, ତାଙ୍କୁ ଆମେ ବିଦାୟ କରିଦେବୁ ।” ଏପରିକି ତାଙ୍କ ନିର୍ବାଚନୀ ଶେଷ ଗସ୍ତର ବାଲେଶ୍ୱର ଠାର କହିଥିଲେ , ”ନବୀନବାବୁ ଏଥର ଆପଣଙ୍କୁ ଆମେ ଛାଡ଼ୁ ନାହୁଁ । ତୁମକୁ ଓଡ଼ିଶା ଗାଦିରୁ ବିଦାୟ ଦେଉଛୁ ।” ଉଭୟ ଅମିତ ଶାହା ଏବଂ ମୋଦି ଏବଂ କେନ୍ଦ୍ରରୁ ଆସୁଥିବା ଧର୍ମେନ୍ଦ୍ର ପ୍ର୍ରଧାନଙ୍କ ସମେତ ଯେତେ ମନ୍ତ୍ରୀ ଆସିଛନ୍ତି ନବୀନ ସରକାରଙ୍କୁ ଭୟଙ୍କର ଭାବେ ଆକ୍ରମଣ କରିଛନ୍ତି । ବୁଝିହେଉ ନାହିଁ ଜଣେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳରେ ଜଣେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମିତି ବ୍ୟବହାର କରିପାରନ୍ତି ? ଏହା ଯେ କୌଣସି ସଂସ୍କୃତିର ବାହାରେ । ଏନେଇ ଅନେକ ପତ୍ରପତ୍ରିକାରେ ତାଙ୍କ ବିରୁଦ୍ଧରେ ବୁଦ୍ଧିଜୀବୀମାନେ ବିଷୋଦ୍ଗାର କରିଛନ୍ତି ।
ଅନ୍ୟପକ୍ଷରେ ନବୀନ ଏହାକୁ ଅତି ନୀରବରେ ଏବଂ ସହଜରେ ଗ୍ରହଣ କରି ସହିଯାଇଛନ୍ତି । ଏଥିପାଇଁ ସେମାନଙ୍କ ପ୍ରତି ଉଗ୍ର ସ୍ୱଭାବ ପ୍ରଦର୍ଶନ କରିନାହାନ୍ତି । ନିଜସ୍ୱ ଶୈଳୀରେ କଥା କମ୍ ଏବଂ କାମ ଅଧିକ କରିଚାଲିଛନ୍ତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କ କାର୍ଯ୍ୟ ପାଇଁ ସଦାବେଳେ ପ୍ରଶ୍ନ କରିଛନ୍ତି, ‘ଆପଣମାନେ ଖୁସି ତ’ । ଏହି ଶବ୍ଦପୁଞ୍ଜ ଶେଷରେ ନିର୍ବାଚନ ବେଳେ ଏକ ସ୍ଲୋଗାନ ପାଲଟିଗଲା ।
କୌଣସି କଥାକୁ ନଶୁଣି ଯଦିଓ ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିଲା ଯେ ତୃତୀୟ ମହଲାର କାହା ଦ୍ୱାରା ପରିଚାଳିତ ବୋଲି । ତଥାପି ସେଥିପାଇଁ ସେ ନିରୁତର ଥିଲେ । ଏଠାରେ ସୂଚାଇ ଦେଉ ଯେ ତୃତୀୟ ମହଲାର କୌଣସି ବ୍ୟକ୍ତି ଆସି ନବୀନଙ୍କ ପାଇଁ ନିର୍ବାଚନ ପ୍ରଚାର କରୁନଥିଲେ । ନବୀନ ଏକା ଏକା ତାଙ୍କ ଦଳବଳ ଧରି ନିର୍ବାଚନ ଗସ୍ତରେ ଯାଉଥିଲେ ।
ଦେଖାଯାଇଛି ରାଜନୀତିରେ ସେ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏକି ଗତ ନିର୍ବାଚନରେ ୭୦ ଜଣ ବିଧାୟକ ଏବଂ ୧୮ ଜଣ ସାଂସଦଙ୍କୁ ଟିକେଟ୍ ନଦେଇ ବହୁ ନୂତନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ପ୍ରଶ୍ରୟ ଦେଇଥିଲେ । ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ସଂସଦର ସ୍ଥାନ ସଂରକ୍ଷଣରେ ୭ ଜଣ ମହିଳାଙ୍କୁ ଲଢ଼ିବା ପାଇଁ ଟିକଟ ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ୭ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ନିହାତି ପଲ୍ଲୀରୁ ଆସିଥିବା ଅଶିକ୍ଷିତା ମହିଳା ପ୍ରମିଳା ବିଷୋଇ । ଯିଏ କି ଲୋକସଭାକୁ ବହୁମତ ପ୍ରାପ୍ତ ହୋଇ ନିର୍ବାଚିତ ହୋଇଛନ୍ତି । ନବୀନଙ୍କ ବିରୁଦ୍ଧରେ ନିଜ ଦଳରୁ ଯାଇଥିବା ଯେମିତି କି- ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର ଆହୁରି ଅନେକ ବିଜେପିରେ ମିଶିଛନ୍ତି ଏବଂ ସେମାନଙ୍କ ସହିତ ଅପରାଜିତା ଷଡ଼ଙ୍ଗୀ, ପୀତାମ୍ବର ଆଚାର୍ଯ୍ୟ ତଥା ବିଜେପିର ବରିଷ୍ଠ ସଦସ୍ୟମାନେ ଯେଉଁପ୍ରକାର ବିରୁଦ୍ଧାଚରଣ କରିଛନ୍ତି ଏଥିରେ ନବୀନ ଭାଙ୍ଗିଯିବା କଥା । କିନ୍ତୁ ତାଙ୍କର ଜନହିତକର କାର୍ଯ୍ୟ ଯୋଗୁଁ ମୋଦି ଓ ଶାହାଙ୍କର ଡବଲ ଇଞ୍ଜିନ ନାରା ମଧ୍ୟ କେହି କାମ ଦେଲେ ନାହିଁ । ତାଙ୍କର ସବୁ ପ୍ରଚେଷ୍ଟା ଯେମିତି ‘ମୋ ବୁଥ୍ ସଶକ୍ତ’ ତଥା ‘ମୋଦି ମ୍ୟାଜିକ୍’ ସବୁ କୁଆଡ଼େ ହଜିଗଲା । ଅବଶ୍ୟ ବିଜେପି ଓଡ଼ିଶା ବିଧାନସଭାରେ ୨୪ଟି ଆସନ ଏବଂ ଲୋକସଭାରେ ୮ଟି ଆସନ ପାଇଛି । କିନ୍ତୁ ଏହା କ’ଣ ତାଙ୍କର ଲକ୍ଷ୍ୟ ଥିଲା । ଏମିତି କହିଲେ ଓଡ଼ିଶା ବିଧାନସଭାରେ ଯେଉଁ ୨୪ଟି ଆସନ ପାଇଛନ୍ତି ତାହାକୁ ଯଦି ୨୦ ବୋଲି ଧରାଯାଏ ତାହା ଶାହାଙ୍କ ମିଶନର ବାଁ ପଟୁ ୧ କଟିଯାଇଛି ବୋଲି ଧରାଯିବ ।
ସୌଜନ୍ୟତା ଦୃଷ୍ଟିରୁ ମୋଦି ଏବଂ ନବୀନ ସେମାନଙ୍କ ବିଜୟ ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ଓଡ଼ିଶାରେ ଯେ ବିଜେପି ମାଡ଼ ଦେବାକୁ ଯାଇ ମାଡ଼ ଖାଇଯିବ ଏମିତି ବୋଧେ ବିଶ୍ୱାସ କରିନଥିଲା । ଯେଉଁମାନେ ବିଜେଡ଼ିରୁ ବିଜେପିକୁ ଯାଇଛନ୍ତି ଏବଂ ଭୋଟ୍ ଲଢ଼ିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ନିର୍ବାଚନରେ ଚିଟ୍ପଟାଙ୍ଗ ଦେଇଛନ୍ତି । ଅଥଚ ଯେଉଁମାନେ ବିଜେପି ବା ଅନ୍ୟ ଦଳରୁ ଆସି ବିଜେଡ଼ିରେ ମିଶି ଶେଷ ମୁହୂର୍ତ ଲଢ଼ିଛନ୍ତି ସେମାନେ ନବୀନଙ୍କ କାରଣରୁ ନିର୍ବାଚନରେ ବିଜୟୀ ହୋଇଛନ୍ତି ।
ଯେ ପର୍ଯ୍ୟନ୍ତ ନବୀନ ବଂଚିଛନ୍ତି ଅର୍ଥାତ୍ ଓଡ଼ିଶାରେ ଅଛନ୍ତି ସେ ଅପରାଜୟ । ତାଙ୍କ ଠାରୁ ଭଦ୍ରତା, ନମ୍ରତା, ସୌଜନ୍ୟତା, ମାନବୀୟତା, ସେବା ଏବଂ ସଂସ୍କୃତି ଇତ୍ୟାଦି ଶିକ୍ଷା କରିବାର ଅଛି । ସେ ଓଡ଼ିଶା ପାଇଁ ପ୍ରତିଟି କ୍ଷେତ୍ରରେ ଗୌରବ ଆଣିଦେଇଛନ୍ତି । ବିଶ୍ୱାସ ଆଗାମୀ ୫ ବର୍ଷରେ ତାଙ୍କର ଅନେକ ବାଂଛିତ କାର୍ଯ୍ୟକୁ ଓଡ଼ିଶା ସ୍ୱାର୍ଥରେ ସେ ନିୟୋଜିତ କରିବେ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ