ବଢୁଚି ଖଣିଜ ଚୋରା କାରବାର, ବାଇକ୍ ଓ ହାଇଓା ଟ୍ରକ ଜବତ, ଜଣେ ଅଟକ
ଯୋଡ଼ା (ଯୁଗାଦ୍ଦ) : ଯୋଡା ଖଣି ମଣ୍ଡଳରେ ଖଣିଜ ଚୋରାକାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ଅତିତରେ ଖଣିଜ ଚୋରମାନେ ବନାଚଂଳରୁ ତଥା ପରିତ୍ୟକ୍ତ ସ୍ଥାନରୁ ଲୁହାପଥର ଖନନ କରି ଚୋରି କରୁଥିଲେ । ହେଲେ ବୁଧବାର ବିଳମ୍ବିତ ରାତିରେ ଏକ ବନ୍ଦ ଥିବା ଖଣି ଭିତରେ ଚୋରମାନେ ସଂଘବଦ୍ଧ ଭାବେ ପଶି ଲୁହାପଥର ଚୋରି କଲାବେଳେ ପୋଲିସ୍ ହାତରେ ଧରା ପଡିଥିଲେ । ପୋଲିସର ସୁଚନାନୁଯାୟୀ, ବୁଧବାର ରାତି ପ୍ରାୟ ୧.୩୦ ମିନିଟ ସମୟରେ ଏକ ଦୁର୍ଗମ ଅଂଚଳରେ ଅବସ୍ଥିତ ବି.ସି ଦେବ୍ ଖଣିରେ ଏକ ହାଇଓା ଟ୍ରକ ଜେଏଚ ୦୯ୟୁ ୭୨୫୨ ଚୋରା ଲୁହାପଥର ବୋଝେଇ କରୁଥିଲା । ଏହି କାର୍ଯ୍ୟରେ ପ୍ରାୟ ୨୦ ରୁ ଅଧିକ ଖଣିଜ ଚୋର ନିୟୋଜିତ ଥିଲେ । ଏପରିକି ପୋଲିସର ଗତିବିଧି ଉପରେ ଦୃଷ୍ଟି ରଖିବା ପାଇଁ ଏକ ବାଇକ୍ ଓଆର ୦୯ ଡି ୩୬୨୦ ପାଟ୍ରୋଲିଂ କରୁଥିଲା । ପୋଲିସ ଘଟଣାସ୍ଥଳରେ ପହନଚିବା ପରେ ଚୋରମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଘଟଣାସ୍ଥଳରୁ ପୋଲିସ ହାଇଓା ଟ୍ରକ, ବାଇକ୍ ଜବତ କରିବା ସହିତ ଜଣେ ଲୋକକୁ ଘଟଣାସ୍ଥଳରେ କାବୁ କରିନେଇଥିଲା । ଏହି ହାଇଓା ଟ୍ରକରେ ଉନ୍ନତମାନର ମୂଲ୍ୟବାନ ୫/୨୦ ସାଇଜଡ୍ ଲୁହାପଥର ଖଣିଜ ଚୋରମାନେ ଲୋଡ୍ କରି ଝାଡଖଣ୍ଡ ରାଜ୍ୟକୁ ପରିବହନ କରି ନେଉଥିବା ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଏକ ମାସ ମଧ୍ୟରେ ଏହା ଦ୍ୱିତୀୟ ଖଣିଜ ଚୋରି ହୋଇଥିବା ବେଳେ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶାଳୟ ନିରଦଦ୍ରଷ୍ଟା ସାଜିଛି । ଗତ ୦୪/୦୩/୨୦୨୦ ତାରିଖରେ ଏକ ଦଶ ଚକିଆ ଟ୍ରକରେ ବାଂଶପାଣି ବେହେରା ହଟିଂଠାରୁ ଚୋରା ଲୁହାପଥର ବୋଝେଇ ହୋଇ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୋଲିସ ଚଢାଉ କରି ଏହି ଟ୍ରକକୁ ଜବତ କରିଥିଲା । ସୂଚନାଯୋଗ୍ୟ ଯେ, ଯୋଡା ଖଣି ମଣ୍ଡଳରେ ଅନେକ ଖଣି ବୈଧାନିକ କାରଣବସତ କାର୍ଯ୍ୟ ବନ୍ଦ ଅବସ୍ଥାରେ ଅଛି । ସେଠାରେ ଥିବା ଷ୍ଟକ ଲୁହାପଥରକୁ ଚୋରମାନେ ନିର୍ଭିଘ୍ନରେ ପରିବହନ କରୁଛନ୍ତି । ଖଣି ବିଭାଗ ପକ୍ଷରୁ ବାଂଶପାଣିଠାରେ ଥିବା ଜବତ ଲୁହାପଥର ଜଗୁଆଳୀ ବ୍ୟବସ୍ଥା ନାହିଁ । ସେହିପରି ବନ୍ଦ ଥିବା ଖଣି ଗୁଡିକରେ ମଧ୍ୟ ଜଗୁଆଳୀ ବ୍ୟବସ୍ଥା ନଥିବାରୁ ଚୋରି ବୃଦ୍ଧି ହେଉଛି । ତେଣେ ରାଜ୍ୟ ସରକାରଙ୍କ ଦ୍ୱାରା ଖଣିଜ ଚୋରା କାରବାରକୁ ରୋକିବା ପାଇଁ ଗଠନ କରାଯାଇଥିବା ଷ୍ଟେଟ୍ ଲେବଲ୍ ଏନଫୋର୍ସମେନ୍ଟ ସ୍କ୍ୱାର୍ଡ ଖଣି ଅଂଚଳ ପରିଦର୍ଶନରେ ଆସୁନାହିଁ । ଇତି ମଧ୍ୟରେ ଖଣି ବିଭାଗ ପକ୍ଷରୁ ଗୋଟିଏ ହେଲେ ଚୋରା ଖଣିଜ କାରବାର ହେଉଥିବା ସ୍ଥାନକୁ ଚିହ୍ନଟ କରାଯାଇନାହିଁ ଏବଂ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ମଧ୍ୟ ନିଆଯାଉନାହିଁ । ଶୁଣିବାକୁ ମିଳୁଛି ଯେ, କିଛି ଅସାଧୁ ଖଣି ସରକାରୀ ଖଣି ନିରୀକ୍ଷକ ଖଣିଜ ଚୋରମାନଙ୍କ ସହିତ ମୂଲଚାଲ କରି ଏହି ଚୋରାକାରବାରକୁ ପ୍ରତ୍ୟକ୍ଷ ଭାବେ ପ୍ରୋସାôହନ ଦେଉଛନ୍ତି । ଏହି ଲୁହାପଥର ଚୋରା କାରବାର ଯୋଗୁ ରାଜ୍ୟ ସରକାର ଦୈନିକ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ହରାଉଛନ୍ତି । ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଂଚଳରେ ଖଣିଜ ଚୋରାକାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।


