ଜିଲ୍ଲାରେ ମଦ ଦୋକାନ ବନ୍ଦ ନକଲେ ବ୍ୟାପକ ଜନଆନ୍ଦୋଳନ ହେବ

କେନ୍ଦ୍ରାପଡା : ସମଗ୍ର ଜିଲ୍ଲାର ଗାଁ ଗହଳିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠିପିବନ୍ଦ ମଦଦୋକାନ ଖୋଲିବାକୁ ଗୋଟିଏ ପରେ ଗୋଟିଏକୁ ଲାଇସେନ୍ସ ପ୍ରଦାନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ନ୍ୟାୟରେ ଗାଁ ଗହଳିର ବେକାର ଯୁବକମାନଙ୍କୁ ମଦ ପିଆଇବାକୁ ପରୋକ୍ଷରେ ପ୍ରଶାସନ ଓ ସରକାର ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଯୁବକମାନେ ଉଶୃଙ୍ଖଳ ହୋଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ସରକାର ରାଜସ୍ୱ ବୃଦ୍ଧି ନାଁରେ ମଦକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଗୋଟିଏ ସଭ୍ୟ ରାଷ୍ଟ୍ରରେ ନିଶାକୁ ଖୋଲାଖୋଲି ଭାବରେ ସ୍ୱୀକୃତି ପ୍ରଦାନ କରାଯାଉଥିବା ବେଳେ ମହାତ୍ମାଗାନ୍ଧୀ ନିଶାମୁକ୍ତ ଭାରତବର୍ଷର ସ୍ୱପ୍ନ ଦେଖିଥିଲେ । ଦେଶ ସାରା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବକାଶରେ କ’ଣ ବାର୍ତ୍ତା ରଖାଯାଉଛି ଏକଥା ଲୋକମାନଙ୍କୁ ସଚେତନ କରାଯିବା ଦରକାର । ଆଜି ସମଗ୍ର ବିଶ୍ୱରେ କରୋନା ରୋଗର ପ୍ରଭାବ ବିଶ୍ୱ ବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବହୁ ରାଷ୍ଟ୍ର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିସାରିଛନ୍ତି । ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ମଦକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଜରୁରୀ ଅଟେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜନଗର ବଗପାଟିଆରେ ଠିପିବନ୍ଦ ମଦ ଦୋକାନକୁ ବନ୍ଦ କରିବା ପାଇଁ ରାଜନଗର ଅଚଂଳର ମହିଳା ସଂଗଠନ ପକ୍ଷରୁ ଧାରଣା ଓ ଅନଶନ ପରେ ମଦ ଦୋକାନକୁ ଭଙ୍ଗାରୁଜା କରିବା ଘଟଣା ଅତ୍ୟନ୍ତ ଲଜ୍ୟାଜନକ । କେନ୍ଦ୍ରାପଡାର,ଶ୍ୟାମସୁନ୍ଦରପୁର,ଗୋପଛକ,ପଟ୍ଟାମୁଣ୍ଡାଇର ଅଣ୍ଢରା,ରାଜକନିକାର ଚରପଡା,ଆଳିର ଗୋବିନ୍ଦପୁର ପ୍ରଭୃତି ସ୍ଥାନମାନଙ୍କରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ମଦ ଦୋକାନ ଉଛେଦ ପାଇଁ ପ୍ରଶାସନ ନିକଟରେ ବହୁ ପ୍ରତିବାଦ ଉପସ୍ଥାପିତ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଏଥିପାଇଁ କୈାଣସି ନିଘାନଥିବା ମନେହୁଏ । ଜିଲ୍ଲାପାଳ ଜଣେ ଦକ୍ଷ ପ୍ରଶାସକ ହୋଇଥିଲେ ମଧ୍ୟ ସରକାରଙ୍କ ନିଷ୍ପତି ବିରୋଧରେ ସମର୍ଥ ବର୍ମା ଅସମର୍ଥ ହୋଇପଡିଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ବହୁ ନୂଆ ନୂଆ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବା ଓ ୫-ଟିକୁ ଲାଗୁକରିଥିବା ବେଳେ ଓଡିଶାକୁ ନିଶାମୁକ୍ତ ଭାବେ ଘୋଷଣା କଲେ ତାହା ସମଗ୍ର ରାଜ୍ୟ କାହିଁକି ସମଗ୍ର ଦେଶ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇପାରିବ । ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲା ସମେତ ସମଗ୍ର ରାଜ୍ୟକୁ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରିବାକୁ ଜିଲ୍ଲା ମଦମୁକ୍ତ ଆନ୍ଦୋଳନ ପକ୍ଷରୁ ସମାଜସେବୀ ଡଃ. ଗଦାଧର ମଲ୍ଲିକ, ଡା.ବାସୁଦେବ ପାତ୍ର, ନୃସିଂହ ଚରଣ ଆଚାର୍ଯ୍ୟ, ବିଶ୍ୱନାଥ ଧଳ, ପ୍ରଫେସର ବୈଷ୍ଣବ ସିଂହ, ପ୍ରଫେସର ଅନିରୁଦ୍ଧ ରାଉତ, ପ୍ରଫେସର ନନ୍ଦ କିଶୋର ପରିଡା, ଲକ୍ଷ୍ମୀଧର ପାତ୍ର, ଡଃ.ବାସୁଦେବ ଦାସ, ପ୍ରଫେସର ଅଜୟ ସାମଲ, ଶିକ୍ଷାବିତ ଭଜକୃଷ୍ଣ ରାଉତ, ଭ୍ରମରବର ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି । ନଚେତ ଜିଲ୍ଲାରେ ଜନ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ