ନାରାୟଣଙ୍କ ସେବାରେ ସ୍ୱୟଂସେବକ

 

୧୯୯୯ ଅକ୍ଟୋବର ୨୯ ତାରିଖ ମହାବାତ୍ୟା ପରେ ଫାଇଲିନ୍, ହୁଡ୍ହୁଡ୍ ଓ ତିତ୍ଲି ଦ୍ୱାରା ହୋଇଥିବା କ୍ଷୟ କ୍ଷତି  ଓଡିଶାବାସୀଙ୍କ ମନରୁ ଲିଭି ନଥିବା ବେଳେ ଗତ ମେ ୩ ତାରିଖ ଦିନ ସାମୁଦ୍ରିକ ଝଡ ଫନି ଓଡିଶାରେ ରଚିଥିଲା ତାଣ୍ଡବ । ଏହି ତାଣ୍ଡବରେ ଲକ୍ଷାଧିକ ଗଛ ଉପୁଡିବା, ବିଦ୍ୟୁତ୍ ଖୁଂଟ, ଟେଲିଫୋନ ଖୁଂଟ ଓ ମୋବାଇଲ ଟାୱାର ଭାଙ୍ଗିପଡିବା ସହ ଅନେକ ଘର ଦ୍ୱାରା ଧୁଳିସାତ ହୋଇ ଯାଇଛି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ଷ୍ଟେର ଏମରଜେନସି ସେଂଟର ପକ୍ଷରୁ ମେ ୫ ତାରିଖରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଫନି  ପୁରୀ, ଖୋର୍ଦ୍ଧା,କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର,ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଗଂଜାମ,ଢେଙ୍କାନାଳ ପରି ୧୧ଟି ଜିଲ୍ଲାକୁ ପ୍ରଭାବିତ କରିଛି । ଏହି ବାତ୍ୟାର ତାଣ୍ଡବରେ ମୋଟ ୧୩୭ଟି ବ୍ଲକ,୪୬ଟି ନଗରାଂଚଳ, ୧୪ ହଜାର ୮୩୫ଟି ଗାଁ ପ୍ରଭାବିତ ହୋଇଛି । ମୋଟ ୧ କୋଟି ୭ଲକ୍ଷ ୮୪ ହଜାର ୯୧୫ ଜଣ ଲୋକ ଫନିର ଶିକାର ହୋଇଛନ୍ତି । ସବୁଠାରୁ ବେଶି ପ୍ରଭାବିତ ପୁରୀ ଜିଲ୍ଲା ହୋଇଛି । ବ୍ରହ୍ମଗିରିରୁ ପୁରୀ, ପୁରୀରୁ ଭୁବନେଶ୍ୱର, କଟକ ମଧ୍ୟରେ ଅନେକ ବଡ ବଡ ଗଛ ଉପୁଡି ପଡି ରାସ୍ତା ଅବୋରଧ କରିଥିଲା । ଟେଲିଫୋନ ସେବା ଓ ବଦ୍ୟୁତ ସରବରାହ  ସେବା ସଂପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଥିଲା । ଅନେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟର ଗୃହ ମଧ୍ୟ ଭୁଷୁଡି ପଡିଛି । ଲୁଣାପାଣିକୁ  ରୋକିଥିବା ଲୁଣା ବନ୍ଧ ମଧ୍ୟ ଧୋଇ ଯାଇଛି । ଅନେକ ସ୍ଥାନରେ ରାସ୍ତା ଫାଟି ଯାଇଛି, କଲଭର୍ଟ ନଷ୍ଟ ହୋଇଛି, ୪ଟି ୨୨୦ କେଭି ଗ୍ରୀଡ ଭାଙ୍ଗି ଯିବା ସହ ପୁରୀ, ନିମାପଡା, ମଂଚେଶ୍ୱର ଓ ରଣସିଂହପୁରରେ ୪ଟି ୧୩୨କେଭି ଗ୍ରୀଡ ଧ୍ୱଂସ ହୋଇ ଯାଇଛି ।

ସାମୁଦ୍ରିକ ଝଡ ଫନି ରାଜ୍ୟରେ ଚାଷୀଙ୍କ ଅଂଟା ଭାଙ୍ଗି ଦେଇଛି । କେଉଁଠି ପାନ ବରଜ ଭାଙ୍ଗି ନଷ୍ଟ କରିଦେଇଛି, କେଉଁଠି ରବର ଓ ନଢିଆ ଗଛକୁ ଉପାଡି ଫୋପାଡି ଦେଇଛି । କେଉଁଠି ବାଦାମ ଫସଲ ନଷ୍ଟ କରିଦେଇଛି ।  କେଉଁଠି ସୂର୍ଯ୍ୟମୁଖି ଫୁଲ, ମୁଗ, ବିରି, ଇତ୍ୟାଦି ରବି ଫସଲ ଉପରେ ପାଣି ଜମି ସବୁ ନଷ୍ଟ କରି ଦେଇଛି ।  ପୁରୀ ଜିଲ୍ଲାର ବ୍ରହ୍ମଗିରି,ନିମାପଡା, କାକଟପୁର,  କୋଣାର୍କ,ଗୋପ, ଅସ୍ତରଙ୍ଗ,ଦାଣ୍ଡମୁକୁନ୍ଦପୁର ଆଦି ଅଂଚଳର ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଧାନ, ପାନ, ମୀନ ହିଁ ସ୍ଥାନୀୟ ଅଂଚଳର ମୂଳ ଆୟପନ୍ଥା । ଏବେ ସେହି ଚାଷୀ  ମୁଣ୍ଡରେ ହାତ ଦେଇ ବସିଛି । ସେମାନଙ୍କ ଭାତ ହାଣ୍ଡି ଉପରେ ଦାଉ ସାଧିଛି ଅଦିନିଆ ଝଡ ତୋଫାନ ଫନି ।

ରାଜ୍ୟର ଏହି ବିପତ୍ତି ସମୟରେ ରାଜ୍ୟବାସୀଙ୍କୁ ସହଯୋଗର ହାତ ବଢାଇଛି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ । ବାତ୍ୟା ପୂର୍ବରୁ , ବାତ୍ୟା ସମୟରେ ଓ ବାତ୍ୟା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ରାଷ୍ଟ୍ରୀୟ ସେବାଭାରତୀ ସହଯୋଗରେ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସଂଘର ସହସରକାର୍ଯ୍ୟବାହ ଶ୍ରୀ ଭି.ଭାଗେୟାଜୀ ମଧ୍ୟ ଏହି ସମୟରେ ଉପସ୍ଥିତ ରହି ମାର୍ଗ ଦର୍ଶନ ଦେଇଛନ୍ତି । ସଂଘର ଅନେକ  ଅଖିଳ ଭାରତୀୟ ଅଧିକାରୀ, କ୍ଷେତ୍ର ଅଧିକାରୀ ଓ ପ୍ରାନ୍ତ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନ ବୁଲି ତୃଣମୂଳ ସ୍ତରରୁ   ତଥ୍ୟ ସଂଗ୍ରହ କରିଥିଲେ । ବିଭିନ୍ନ ସ୍ଥାନରେ କ୍ଷୟ କ୍ଷତି ଆକଳନ କରିବା ସହିତ ସେହି ସବୁ ସ୍ଥାନରେ ସଂଘ ତରଫରୁ ଚାଲୁଥିବା ସେବା କେନ୍ଦ୍ର ସଂପର୍କରେ ପଚାରି ବୁଝିବା ସହ ବିଭିନ୍ନ ସେବା କାର୍ଯ୍ୟରେ ମଧ୍ୟ ସାମିଲ ହୋଇଥିଲେ ।

ମେ ୨୦ ତାରିଖ  ପର୍ଯ୍ୟନ୍ତ ଆମକୁ ଯେଉଁ ତଥ୍ୟ ମିଳିଛି ସେହି ଅନୁସାରେ ସଂଘ ତରଫରୁ ୧୬ଟି ଡାକ୍ତରୀ ଦଳ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ୧୨ଟି ବ୍ଲକ, ୩ ଟି ଏନ୍ଏସି ୫୮ଟି ପଂଚାୟତର ୧୧ଟି ୱାଡ,୧୯୪ ଟି ଗ୍ରାମ, ୩୫ଟି  ବସ୍ତିରେ ମୋଟ ୩୫,୬୬୭ଜଣ ରୋଗୀଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଔଷଧ ବିତରଣ କରିଛନ୍ତି । ପ୍ରତ୍ୟେକ ଟିମ୍ରେ ଗୋଟିଏ ଆମ୍ବୁଲାନ୍ସ, ଜଣେ ଡାକ୍ତର, ବିଭିନ୍ନ ପ୍ରକାର ନମୁନା ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଜନ୍ତ୍ରପାତି ସହ ଜଣେ ଲାବରଟେରିଆନ, ଜଣେ ନର୍ସ, ଜଣେ କଂପାଉଣ୍ଡରଙ୍କ ସହିତ ସ୍ଥାନୀୟ ଅଂଚଳର ସ୍ୱୟଂସେବକମାନେ ସାମିଲ ହୋଇଛନ୍ତି । ଏହି ଟିମ୍ ସମ୍ବେଦନଶୀଳ ଅଂଚଳ ଗୁଡିକ ଗସ୍ତ କରି ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି ।

୧୬ଟି ଡାକ୍ତରୀ ଦଳ ପୁରୀ ବ୍ଲକ ପୁରୀ ସଦର ୪ ପଂଚାୟତର ୧୨ ଗ୍ରାମରେ ୧୫୪୮ରୋଗୀ,ପୁରୀ ଏନ୍ଏସି ୪ଟି ୱାଟର ୧୦ ବସ୍ତିରେ ୧୬୨୮ ଜଣ ରୋଗୀ, ବ୍ରହ୍ମଗିରି  ବ୍ଲକ ୮ଟି ପଂଚାୟତ ୧୯ ଟି ଗ୍ରାମରେ ୨୩୨୩ ଜଣ ରୋଗୀ, କୃଷ୍ଣ ପ୍ରସାଦ  ବ୍ଲକ ୫ଟି ପଂଚାୟତ ୯ ଗ୍ରାମରେ ୨୨୨୦ ରୋଗୀ, ପିପିଲି ବ୍ଲକ ୭ଟି ପଂଚାୟତ ୨୧ଗ୍ରାମରେ ୩୫୮୦ଜଣ ରୋଗୀ, କଣାସ ବ୍ଲକ ୫ଟିପଂଚାୟତ ୧୪ ଗ୍ରାମରେ  ୨୦୨୭ଜଣ ରୋଗୀ, ନିମାପଡା ବ୍ଲକ ୧୪ ଟିପଂଚାୟତ ୩୦ ଗ୍ରାମରେ ୬୭୧୨ଜଣ ରୋଗୀ, ସତ୍ୟବାଦୀ ବ୍ଲକ ୫ଟିପଂଚାୟତର ୧୫ଗ୍ରାମରେ ୧୯୨୩ଜଣ ରୋଗୀ,କୋଣାର୍କ ବ୍ଲକ   ଅନ୍ତର୍ଗତ ୫ଟିପଂଚାୟତର ୨୧ଗ୍ରାମରେ   ୩୨୨୬ଜଣ ରୋଗୀ, କୋଣାର୍କ ଏନ୍ଏସି ଅନ୍ତର୍ଗତ ୩ ଟି ୱାଡର ୧୪ ବସ୍ତିରେ ୧୫୬୦ରୋଗୀ,ଜଟଣୀ ବ୍ଲକ  ଅନ୍ତର୍ଗତ ୨ଟିପଂଚାୟତର ୧୫ଗ୍ରାମରେ ୧୫୨୫ ଜଣ ରୋଗୀ, ଜଟଣୀ ଏନ୍ସି ଅନ୍ତର୍ଗତ ୪ଓା୍ୱଡର ୧୧ ବସ୍ତିରେ ୧୩୨୬ ଜଣ ରୋଗୀ, ବାଲିପାଟଣା ବ୍ଲକ  ଅନ୍ତର୍ଗତ ୬ଟିପଂଚାୟତର୧୨ଗ୍ରାମରେ ୧୪୨୮ଜଣ ରୋଗୀ, ବାଲିଅନ୍ତା ବ୍ଲକ ଅନ୍ତର୍ଗତ ୩ଟିପଂଚାୟତର ୧୦ଗ୍ରାମରେ ୧୨୨୦ଜଣ ରୋଗୀ, କଂଟାପଡା ବ୍ଲକ ଅନ୍ତର୍ଗତ ୪ ଟିପଂଚାୟତର ୧୬ଗ୍ରାମରେ ୩୪୨୧ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଇ ଔଷଧ ଯୋଗାଇ ଦିଆଯାଉଛି ।

କେବଳ ସ୍ୱାସ୍ଥ୍ୟ ସେବା ନୁହେଁ ଅନେକ ପ୍ରକାର ସେବା ସେମାନଙ୍କୁ ଯୋଗାଇ ଦିଆଯାଉଛି ।  ଦୁଇ ହଜାରରୁ ଉଦ୍ଧ୍ୱର୍ ସ୍ୱୟଂସେବକଙ୍କ ଦ୍ୱାରା ରାସ୍ତାଘାଟ ସଫାକରିବା ସହିତ  ରନ୍ଧା ଖାଦ୍ୟ, ଶୁଖିଲାଖାଦ୍ୟ, ଚୁଡା,ଗୁଡ, ମହମବତୀ, ଦିଆସିଲି,  ବୋତଲ ପାଣି , ତାରପୋଲିନ୍, ଔଷଧ ଆଦି ଯୋଗାଇ ଦିଆଯାଉଛି । ୨୦ ତାରିଖ ସୁଦ୍ଧା  ୨୯୮ ଗ୍ରାମରେ ୧୯୪୦୭୬ଜଣ ଉପକୃତ ହୋଇଥିବା ବେଳେ  ୫୧,୨୧୩ ଜଣଙ୍କୁ ରନ୍ଧାଖାଦ୍ୟ, ୯୫୦୦ ଶୁଖିଲା ଖାଦ୍ୟ, ୧୦୨ କାର୍ଟୁନ ଦିଆସିଲି, ୩୦୦କୁଇଂଟାଲ ଚୁଡା,  ୫୦ କାର୍ଟୁନ ମଶାଧୁପ, ୫୦ କୁଇଟାଂଲ ଗୁଡ, ଲକ୍ଷାଧିକ ବୋତଲ ,ପାଉଚ ପାଣି,  ୧୫୦ କାର୍ଟୁନ ବିସ୍କୁଟ, ୩୧୫୦ ଶାଢୀ, ୩୪୬ କାର୍ଟୁନ  ମହମବତୀ, ୭୦୦ ଲୋକଙ୍କୁ ଔଷଧ,୨୪,୯୦୦ତାରପୋଲିନ ଓ ୭୬,୯୭୪ ପଲିଥିନ୍ ବଂଟନ କରାଯାଇଛି । ଦୁଇ ହଜାରରୁ ଉଦ୍ଧ୍ୱର୍ ସ୍ୱୟଂସେବକ ଏହି ସେବାକାମରେ ଲାଗିଛନ୍ତି ।

ସ୍ୱୟଂସେବକମାନଙ୍କ ଦ୍ୱାରା ପୁରୀ ଜିଲ୍ଲାର ଘୋଡାବଜାର,ବ୍ରହ୍ମଗିରି, ବଳଙ୍ଗା, କୋଣାର୍କ, ଖେଲାର, କଣାସ, ଦାଣ୍ଡମୁକୁନ୍ଦପରୁ, ନିମାପଡା,ବାଲିପାଟଣା, ଖୋର୍ଦ୍ଧା ଜିଲ୍ଲାର  ସୋରଣ, ଜଟଣୀ, ଭୁବନେଶ୍ୱରର ୟୁନିଟ-୩, କଟକ ଜିଲ୍ଲାର ମହାନଦୀ ବିହାର ଓ ଓଲଟପୁର ଠାରେ ସହାୟତା କେନ୍ଦ୍ର କାର୍ଯ୍ୟ କରୁଅଛି । ମୁଖ୍ୟ କେନ୍ଦ୍ର ଉକ୍ରଳ ବିପନ୍ନ ସହାୟତା ସମିତିକୁ ବିଭିନ୍ନ ଅଂଚଳରୁ ଆସୁଥିବା ସାହାଯ୍ୟ ଗୁଡିକ ଉପରୋକ୍ତ କେନ୍ଦ୍ରମାନଙ୍କରେ ପହଂଚାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ବ୍ରହ୍ମଗିରିର ବରକୁଦି, ଦାଣ୍ଡମୁକୁନ୍ଦପୁର, ବନ୍ତଳସିଂ, ଅରିସୋଲ ଆଦି ଗ୍ରାମରେ ପ୍ରଥମେ ସଂଘର ସ୍ୱୟଂସେବକମାନେ ସେଠାରେ ପହଁଚି ସେବାକାମ କରୁଛନ୍ତି । ସମସ୍ତ ବିପନ୍ନମାନଙ୍କୁ ନାରାୟଣ ରୂପରେ ସେବା କରୁଛନ୍ତି ସ୍ୱୟଂସେବକ ।

 

ଗୋଲଖ ଚନ୍ଦ୍ର ଦାସ

ମୋ-୯୮୬୧୦୨୮୫୫୩

ଭିସାକିଓ,୩୫,ଏନ୍.ଏ. ସି ଫ୍ଲାଟ, ୟୁନିଟ-୩, ଭୁବନେଶ୍ୱର

 

 

 

 

 

 

 

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ