କରୋନା ସଂକ୍ରମଣ ଆଶଙ୍କାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଦୋକାନବଜାର ବନ୍ଦ

କେନ୍ଦ୍ରାପଡା : ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପନିପରିବା,ଗ୍ରୋସରୀ,ମାଂସ,ଚିକେନ ଓ ଅଣ୍ଡା ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ, ଗୋଦାମ ଓ ସୋରୁମ ପ୍ରଭୃତିକୁ ଜିଲ୍ଲା ପ୍ରଶାସନ ଆଜି ଠାରୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଓଡିଶା କୋଭିଡ – ୧୯ ଅଧିନିୟମ ୨୦୨୦ର ପାରା ୩ ଓ ୧୧ ଅନୁଯାଇ ଜିଲ୍ଲାପାଳଙ୍କ ତା ୨୦.୦୩.୨୦୨୦ରିଖର ନିର୍ଦେଶ ନମ୍ବର – ୮୯୫ ରେ ଏଭଳି ନିର୍ଦେଶ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଦିଆଯାଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ଶୁଣାଣି ବିଭାଗ ପକ୍ଷରୁ ପାରା – ୧ ଅନୁଯାଇ ତା ୨୦.୦୩.୨୦୨୦ରିଖର ନିର୍ଦେଶ ନମ୍ବର -୦୮ ଅନୁଯାଇ ରାଜ୍ୟର ସମସ୍ତ ରେଷ୍ଟୁରାଂଟ, ବାର, କଫିସପ, କ୍ୟାଂଟିନ ଓ ଭୋଜନାଳୟ ଗୁଡିକୁ ଯେଉଁଠାରେ କି ଅଧିକ ସଂଖ୍ୟାରେ ଜନସମାଗମ ହେବାର ଆଶଙ୍କା ରହିଛି ସେସବୁକୁ କୋଭିଡ – ୧୯ ସଂକ୍ରମଣ ଆଶଙ୍କାରେ ବାଧ୍ୟତାମୂଳକ ଭାବେ ବନ୍ଦ ରକ୍ଷିିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ପାରା – ୩ ଅନୁଯାଇ ସମସ୍ତ ମାର୍କେଟ,ବଜାର,ସପିଂ କମ୍ପେ୍ଲକ୍ସ ଓ ଗ୍ରାମ୍ୟ ହାଟ ଗୁଡିକୁ ମଧ୍ୟ ବନ୍ଦ ରଖାଯିବାକୁ ନିର୍ଦେଶ ଦିଆଯାଇଛି । ଏତଦଭିନ୍ନ ଯେଉଁ ଅତ୍ୟାବଶ୍ୟକ ଦୋକାନ ଗୁଡିକ ଖୋଲାରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି ସେହି ଦୋକାନ ଗୁଡିକର ଦୋକାନୀ, ପରିଚାଳକ ବା କର୍ମଚାରୀମାନେ ଗରାଖଙ୍କ ଠାରୁ ଅନ୍ୟୁନ ୨ମିଟର ଦୂରତାରେ ରହି ବିକ୍ରୀବଟା କରିବାକୁ ନିର୍ଦେଶ ଦିଆଯାଇଛି । ସମସ୍ତେ ସରକାରଙ୍କ ସାମାଜିକ ଦୂରତା ମାପକାଠିକୁ ମାନିବା ପାଇଁ ନିର୍ଦେଶ ଦିଆଯାଇଛି । କୈାଣସି ସର୍ବସାଧାରଣ ସ୍ଥାନରେ ୭ଜଣରୁ ଅଧିକ ଲୋକ ଯେପରି ନରୁହନ୍ତି ସେଥି ନିମିତ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ଅଚଂଳର ଥାନା ଅଧିକାରୀମାନେ ତାଙ୍କ ଥାନାର ସୀମାଭିତରେ ଆସୁଥିବା ସମସ୍ତ ବନ୍ଦ ଦୋକାନ ସମ୍ପର୍କରେ ଏକାଥରକେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବା ସହ କେଉଁ କେଉଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଲା ସେ ସମ୍ପର୍କରେ ସଂପୂର୍ଣ୍ଣ ବୀବରଣୀ ପ୍ରଶାସନକୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି । ଆଜି କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ସବୁ ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ