ଶପଥ ଗ୍ରହଣ ଉତ୍ସବ ପାଇଁ ଚଳଚଞ୍ଚଳ ପ୍ରଦର୍ଶନୀ ପଡିଆ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) , ଆସନ୍ତାକାଲି ୫ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାକୁ ଯାଉଛନ୍ତି ଅପରାଜୟ ପୁରୁଷ ନବୀନ ପଟ୍ଟନାୟକ । ଚଳିତ ଶପଥ ଗ୍ରହଣ ଉତ୍ସବରେ ବ୍ୟତିକ୍ରମ ଦେଖାଦେଇଛି । ପ୍ରତିବର୍ଷ ଶପଥ ଗ୍ରହଣ ଉତ୍ସବ ରାଜଭବନର ଅଭିଷେକ ହଲରେ ଅନୁଷ୍ଟିତ ହେଉଥିବାବେଳେ , ଚଳିତ ଥର ପ୍ରଥମ ଥର ପାଇଁ ଭୁବନେଶ୍ୱରରସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ଚଳିତ ନିର୍ବାଚନରେ ବିଜେଡି ଏକକ ସଂଖ୍ୟାଗରିଷ୍ଟତା ହାସଲ କରି ୧୧୨ଟି ଆସନରେ ବିପୁଳ ଜନସମର୍ଥନ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଶପଥ ନେବେ । ଏହାର ଆୟୋଜନକୁ ନେଇ ଉକ୍ରଣ୍ଠା ବଢିଯାଇଛି । ନବୀନଙ୍କ ବ୍ୟତୀତ ଆଉ କେଉଁ ମନ୍ତ୍ରୀ ଶପଥ ନେବେ ତା ଉପରେ ଏବେ କଳ୍ପନା ଜଳ୍ପନା ଜାରି ରହିଛି । ଆସନ୍ତାକାଲି ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇବେ । ଏହି ବର୍ଣ୍ଣାଡ୍ୟ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ପୋଲିସ କମିଶନରେଟ ସତ୍ୟଜିତ ମହାନ୍ତି ସୁଚନା ଦେଇଛନ୍ତି ଯେ , ସୁରକ୍ଷା ବଳୟ ଭିତରେ ରହିବ ପ୍ରଦର୍ଶନୀ ପଡିଆ । ଏହାସହ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସଭାସ୍ଥଳକୁ ଯିବାପାଇଁ ଭିନ୍ନ ଭିନ୍ନ ପ୍ରବେଶ ପତ୍ରର ବ୍ୟବସ୍ଥା କରାଯାଇଛି ।