ଟ୍ରାଭେଲିଂ ଜରୁରୀ ଥିଲେ ଆପଣାନ୍ତୁ ଏସବୁ କୋରୋନା ଟିପ୍ସ
କୋରୋନା ଭାଇରସ ଡର ସାରା ଦୁନିଆକୁ କବଳିତ କରି ରଖିଛି। ଏଥିପାଇଁ ସମସ୍ତଙ୍କୁ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଉଛି। ଏହାସତ୍ତ୍ବେ ମଧ୍ୟ ଯଦି ଆପଣଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ୁଛି, ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଦ୍ବାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ ଅନୁସରଣ କରନ୍ତୁ। ଯାହାଫଳରେ ଏହି ଭାଇରସରୁ ରକ୍ଷା ପାଇପାରିବେ।
ଯାତ୍ରା ସମୟରେ ଧ୍ୟାନ ରଖନ୍ତୁ
ଧ୍ୟାନରେ ରଖନ୍ତୁ କୋରୋନା ଭାଇରସ କେଉଁ ସ୍ଥାନରେ ଅଧିକ କାୟା ବିସ୍ତାର କରିଛି। ଏ ସମ୍ପର୍କରେ ଆପଣ ଗୁଗଲ୍ରୁ ସହଜରେ ସୂଚନା ପାଇପାରିବେ। ତେଣୁ ସଂକ୍ରମିତ ସ୍ଥାନକୁ ଯିବାରୁ ଦୂରେଇ ରହନ୍ତୁ। ଘରୁ ବାହାରକୁ ଯିବା ସମୟରେ ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି, ନିଜ ଆଖପାଖ ଲୋକଙ୍କ ଉପରେ ଧ୍ୟାନ ରଖନ୍ତୁ। ଯଦି ଆପଣ ବସ୍, ଟ୍ରେନ୍ ବା ଫ୍ଲାଇଟ୍ରେ ଯାତ୍ରା କରୁଛନ୍ତି, ତେବେ ନିଜ ସିଟ୍ ସୁସ୍ଥ ଲୋକଙ୍କ ଆଖପାଖରେ ରଖନ୍ତୁ। ଯଦି କେହି ଥଣ୍ଡା କାଶରେ ପୀଡ଼ିତ, ତାଙ୍କଠାରୁ ମଧ୍ୟ ଦୂରତ୍ବ ରକ୍ଷା କରନ୍ତୁ।
ଯାତ୍ରା ସମୟରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଗଲେ, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଥଣ୍ଡା କାଶରେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ଅତିକମ୍ରେ ୧ ମିଟର ଦୂରତ୍ବ ରକ୍ଷା କରନ୍ତୁ। ନିଜ ଚେହେରାକୁ ବାରମ୍ବାର ହାତ ଲଗାନ୍ତୁ ନାହିଁ। ମାସ୍କ ପିନ୍ଧି ହିଁ ଘରୁ ବାହାରନ୍ତୁ। ହାତକୁ ବାରମ୍ବାର ସାବୁନ୍ କିମ୍ବା ସ୍ୟାନିଟାଇଜରରେ ଧୁଅନ୍ତୁ। କାଶ କିମ୍ବା ଛିଙ୍କ ହେବାବେଳେ ରୁମାଲ ବଦଳରେ ଟିସ୍ୟୁ ପେପର ବ୍ୟବହାର କରନ୍ତୁ। ଏହା ବ୍ୟବହାର କରି ଡଷ୍ଟବିନ୍ରେ ପକାନ୍ତୁ। ଏହାବ୍ୟତୀତ ନିଜ ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯେଉଁ ହୋଟେଲ୍ରେ ରହୁଛନ୍ତି, ତାହାକୁ ଭଲ ଭାବେ ପରିସ୍କାର ପରିଚ୍ଛନ୍ନ କରାନ୍ତୁ। ଦୁର୍ବଳ ଅନୁଭବ କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅନ୍ୟମାନଙ୍କୁ ମଧ୍ୟ ଡବ୍ଲୁଏଚ୍ଓର ଏହି ଗାଇଡ୍ଲାଇନ୍ ସମ୍ପର୍କରେ ସୂଚନା ଦିଅନ୍ତୁ। ଯଦି କୌଣସି ବ୍ୟକ୍ତି କୋରୋନା ସଂକ୍ରମିତ ଦେଶରୁ ଆସିଛନ୍ତି, ତାଙ୍କୁ ୧୪ ଦିନ ଯାଏ ଅଲାଗ ରହିବାକୁ ପରାମର୍ଶ ଦିଅନ୍ତୁ।


