କର୍ଫ୍ୟୁ ଭାଙ୍ଗିବା ପଡିଲା ମହଙ୍ଗା
ମହାରାଷ୍ଟ୍ର : କରୋନାରୁ ରକ୍ଷା ପାଇବା ଲାଗି ସାରା ଦଶରେ କଡା ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ସାରା ଦେଶରେ ଏବେ ଲକ୍ ଡାଉନ୍ର ଘୋଷଣା କରାଯାଇଛି। କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । କିନ୍ତୁ ଲୋକେ ଏହାକୁ ଉଲ୍ଲଙ୍ଘନ କରୁଥିବାର ଦେଖାଯାଇଛି। ତେବେ ଲକ୍ ଡାଉନ୍କୁ ଉଲ୍ଲଙ୍ଘନ କରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କେନ୍ଦ୍ର ତରଫରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ୍ ମଧ୍ୟ ଏନେଇ ବେଶ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମହାରାଷ୍ଟ୍ରରେ ଏନେଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ କରୁଥିବା ନେଇ ଏକ ଭିଡିଓ ଭାଇରାଲ୍ ହୋଇଛି। ଲକ୍ ଡାଉନ୍କୁ ନ ମାନି ସଡକରେ ବୁଲୁଥିବା ଲୋକଙ୍କୁ ପୋଲିସ୍ ଆଣ୍ଠେଇବା ସହ ବସ ଉଠ୍ କରିଛି।
ମହାରାଷ୍ଟ୍ରର ନାଗପୁରଠାରେ ମଙ୍ଗଳବାର ଦିନ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ପୋଲିସ୍ କର୍ମୀ ସଡକ ବାହାରେ ବୁଲୁଥିବା ଲୋକଙ୍କୁ ଆଣ୍ଠେଇବା ସହିତ ବସ ଉଠ୍ କରାଇଥିଲେ। ପୋଲିସ୍ ଲୋକଙ୍କୁ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ସୂଚନା ମିଳିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କର ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ତିନି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ସୋମବାର ଦିନ ରାଜ୍ୟ ସରକାର ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଥିଲେ । କିନ୍ତୁ ଲୋକେ ଏହାକୁ ନ ମାନୁଥିବାର ପୋଲିସ୍କୁ ଶକ୍ତ ହେବାକୁ ପଡୁଛି । କେବଳ ମହାରାଷ୍ଟ୍ର ନୁହେଁ, ବରଂ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଲକ୍ ଡାଉନ୍କୁ ଗମ୍ଭୀରତାର ସହ କେହି କେହି ନେଉ ନଥିବାର ଦେଖାଯାଉଛି । ଏଥିପାଇଁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଦିଲ୍ଲୀରେ ପ୍ରାୟ ୧୦୦୦ ଲୋକଙ୍କ ବିରୋଧରେ ଏନେଇ ମାମଲା ରୁଜୁ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ ୫୦୦ରୁ ଅଧିକ ଲୋକଙ୍କ ଉପରେ ଲକ୍ଡାଉନ୍ ଅବମାନନା ନେଇ ମାମଲା ଦାଏର କରାଯାଇଛି ।


