କୋରୋନା ଔଷଧ ବାହାରିବାକୁ ଲାଗିପାରେ ଦେଢ଼ ବର୍ଷ
ଓ୍ବାଶିଂଟନ: ସାରା ବିଶ୍ବରେ କୋରୋନା ସଂକ୍ରମଣ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ୧୯୫ଟି ଦେଶ ଏଥିଯୋଗୁଁ ସ୍ଥାଣୁ ଅବସ୍ଥାରେ ରହିଛନ୍ତି। ବିଭିନ୍ନ ଦେଶରେ ରୋଗ ଅଣାୟତ୍ତ ଅବସ୍ଥାରେ ରହିଛି। ତେବେ କୋରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତିରେ ବର୍ତ୍ତମାନ ସୁଦ୍ଧା ସାରା ପୃଥିବୀର ବୈଜ୍ଞାନିକ ସଫଳତା ପାଇପାରି ନାହାନ୍ତି।
ଏହି ପରିପ୍ରେକ୍ଷୀରେ କୁହାଯାଉଛି ଯେ କୋରୋନା ରୋଗ ନିମନ୍ତେ ଔଷଧ ତିଆରି କରିବାକୁ ବର୍ଷେରୁ ଦେଢ଼ ବର୍ଷ ସମୟ ଲାଗିପାରେ। ଆମେରିକା, ଚୀନ ଏବଂ ୟୁରୋପର ବହୁ ରାଷ୍ଟ୍ରର ବୈଜ୍ଞାନିକ କୋରୋନା ରୋକିବା ଲାଗି ଔଷଧ ତିଆରିରେ ଦିନରାତି ଗବେଷଣା ଜାରି ରଖିଛନ୍ତି। ଚୀନରେ ୧୦୦୦ରୁ ଅଧିକ ବୈଜ୍ଞାନିକ କୋରୋନା ଔଷଧ ଉପରେ ଗବେଷଣା କରୁଥିବାବେଳେ ଏଥିରେ ସୈନ୍ୟବାହିନୀ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଜର୍ମାନୀର ଏକ ଔଷଧ କମ୍ପାନୀକୁ ଚୀନ ୧୩୩.୩ ନିୟୁତ ଡଲାର ଯୋଗାଇ ଦେବାକୁ ଘୋଷଣା କରିଛି। ସେହିପରି ଆମେରିକା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଛି। ୟୁରୋପ ଭଳି କେତେକ ରାଷ୍ଟ୍ର ମିଳିତ ଭାବେ କୋରୋନା ମହାମାରୀର ମୁକାବିଲା ଲାଗି ପରୀକ୍ଷା ନିରୀକ୍ଷା ଚଳାଇ ରଖିଛନ୍ତି। କୋରୋନା ଔଷଧ ତିଆରି ପାଇଁ ୟୁରୋପିଆନ୍ କମିଶନ ପକ୍ଷରୁ ୮୫ ନିୟୁତ ଡଲାରର ସହାୟତା ଯୋଗାଇ ଦେବା ଲାଗି ଘୋଷଣା ମଧ୍ୟ କରାଯାଇସାରିଛି। ଭାରତରେ କୋରୋନା ସହିତ ଲଢ଼େଇରେ ବିଭିନ୍ନ ଔଷଧ କମ୍ପାନୀ ସାମିଲ୍ ହୋଇଛନ୍ତି। ରେସପିରେଟୋରୀ, ଆଣ୍ଟି-ଫ୍ଲୁ ଆଦିର ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧକୁ କୋରୋନା ଚିକିତ୍ସାରେ ବ୍ୟବହାର କରାଯାଉଛି। କିନ୍ତୁ ଏହା ଲାଗି ଉପଯୁକ୍ତ ଔଷଧ ପ୍ରସ୍ତୁତି ନେଇ ସଭିଏଁ ଆଶା ବାନ୍ଧି ବସିଛନ୍ତି।


