କୋରନା ମହାମାରୀ ପାଇଁ ଚିନ୍ତାରେ କୁଲାଡ଼ ଅଂଚଳର ଚାଷୀ ମାନେ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ଭୂତାଣୁ ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି।ଏ ପରିସ୍ଥିତି କୁ ରୋକିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ମହାମାରୀ କୋରନା ପାଇଁ ଏବେ ଚାଷୀ କୂଳ ଚିନ୍ତାରେ ଫସିଛନ୍ତି ଓ ସେମାନେ ନାନାଦି ପ୍ରକାର ର କ୍ଷତି ସହୁ ଥିବା ଦେଖିବାକୁ ମିଳିଛି । ଏଭଳି କିଛି ଚିତ୍ର ସାମନା କୁ ଆସିଛି ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମ ପଂଚାୟତ ର କୋଟିବିରାଡି ଗ୍ରାମରୁ । ଏହି ଅଂଚଳର ଚାଷୀ ମାନେ ବିଭିନ୍ନ ଋଣ ଆଣି ପନିପରିବା ଚାଷ କରିଥିବା ବେଳେ ଶହ ଶହ କେଜିର ପନିପରିବା ମଧ୍ୟ ଆଦାୟ କରୁଛନ୍ତି । କିନ୍ତୁ କୋରନା ଭୁତାଣୁ ପାଇଁ ତାହା ବିକ୍ରି ହେବାକୁ ଅନ୍ୟତ୍ର ବଜାରକୁ ଯାଇ ପାରୁନାହିଁ। କାରଣ ସବୁ ଆଡେ ଗାଡି ଚଳାଚଳ ସହ ଯାତାୟତ ବନ୍ଦ ଥିବାରୁ ତାହା ବିକ୍ରି ହୋଇ ପାରିନାହିଁ। ଫଳରେ ଚାଷୀ ଭାଇ ମାନେ ହତାଶ ହୋଇ ପଡିବା ସହ ବହୁ କ୍ଷତିର ସମୁଖୀନ ହଉଛନ୍ତି। ପରିସ୍ଥିତି ଅତି ଶୋଚନୀୟ ହୋଇ ଗଲାଣି ବୋଲି ଚାଷୀ ଭାଇ ମାନେ ଅତି କୋହଭରା କଣ୍ଠ ରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଅନ୍ୟ ଅଂଚଳଗୁଡିକୁ ପନିପରିବା ଠିକ ସେ ପହଂଚି ପାରିନଥିବାରୁ ଯେଉଁ ସବୁ ପରିବା ବଜାର କୁ ଆସୁଛି ତାହାକୁ ଚଢାଦର ରେ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ପରିବା ବାହାର ବଜାରକୁ ଯାଉନଥିବାରୁ ପରିବାବାଡ଼ି ରେ ଶହ ଶହ ପରିବା ପୋଚ ଓ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବି କରିଛନ୍ତି।