କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା
ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଭାରତ ସରକାର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପଦକ୍ଷେପକୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ କୋଭିଡ-୧୯ ମୁକାବିଲା ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ଲାଗି ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀଗୁଡ଼ିକର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଡାକ୍ତରଖାନା, ସଙ୍ଗରୋଧ ଓ ଏକାନ୍ତବାସ ସୁବିଧା, ରୋଗ ନିରୀକ୍ଷଣ, ପରୀକ୍ଷା ଏବଂ ଜଟିଳ ଚିକିତ୍ସା ତାଲିମ ଆଦି ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଗୋଷ୍ଠୀ ପକ୍ଷରୁ ଅବଗତ କରାଯାଇଥିଲା।
କୋଭିଡ-୧୯ ପ୍ରତିହତ କରିବା ଲାଗି ପ୍ରସ୍ତୁତି ସମୀକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଝାଜ୍ଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ ଏମ୍ସ ଝାଜ୍ଜର ସମନ୍ବିତ କୋଭିଡ-୧୯ ହସ୍ପିଟାଲ ଭାବେ କାର୍ଯ୍ୟ କରିବ। ଏଥିରେ ୩୦୦ ଆଇସୋଲେସନ ଓ୍ବାର୍ଡ ରହିଛି ଯାହା ରୋଗୀଙ୍କ ପାଇଁ ତ୍ବରିତ ଅତ୍ୟାଧୁନିକ ଚିକିତ୍ସା ସୁନିଶ୍ଚିତ କରିବ। ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରାଣଘାତି ଭୂତାଣୁକୁ ପ୍ରତିରୋଧ କରିବା ଲାଗି ଟିକା ଖୋଜିବା ନିମନ୍ତେ ବିଶ୍ବବ୍ୟାପୀ ବିଶେଷଜ୍ଞମାନେ ଦିନରାତି ଏକ କରି ଦେଇଛନ୍ତି, ମାତ୍ର ଏହାର କୌଣସି ଟିକା ବର୍ତ୍ତମାନ ସୁଦ୍ଧା ବାହାରି ପାରିନାହିଁ। ଆମକୁ ଉଭୟ ଲକଡାଉନ ଓ ସାମାଜିକ ଦୂରତାର ପ୍ରଭାବୀ ସାମାଜିକ ଟିକା କୋଭିଡ-୧୯ ବିରୋଧରେ ପ୍ରୟୋଗ କରିବାକୁ ହେବ। କ୍ୟାବିନେଟ ସଚିବ ଆଜି ଏଠାରୁ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସଏସପି, ସିଏମଓ, ଆଇଡିଏସପି କମର୍ଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ଔଷଧ ଏବଂ ଚିକିତ୍ସା ଉତ୍ପାଦନ କାରଖାନାଗୁଡ଼ିକର ସୁପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭିଡିଓ କନଫରେନ୍ସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରତିନିଧି ଏବଂ କର୍ମଚାରୀମାନଙ୍କୁ ନିୟନ୍ତ୍ରଣ ରଣନୀତି ସଂକ୍ରାନ୍ତରେ ପ୍ରଶିକ୍ଷଣ ଦିଆଯାଇଥିଲା। କୋଭିଡ-୧୯ ସଂକଟ ପରିଚାଳନା ଯୋଜନା ପ୍ରସ୍ତୁତ କରିବା ଲାଗି ସମସ୍ତ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଏହି ଭିଡିଓ କନଫରେନ୍ସରେ ୬ଟି ଜିଲ୍ଲା (ଭିଲଓ୍ବାରା, ଆଗ୍ରା, ଗୌତମ ବୁଦ୍ଧ ନଗର, କେରଳର ପଥନମଥିଟ୍ଟା, ପୂର୍ବ ଦିଲ୍ଲୀ ଏବଂ ମୁମ୍ବାଇ ମହାନଗର)ର ଜିଲ୍ଲା ଆୟୁକ୍ତ ଓ ମହାନଗର ନିଗମ ଆୟୁକ୍ତମାନେ ସେମାନଙ୍କ ରଣନୀତି ଓ ଅଭିଜ୍ଞତା ବିଷୟରେ କହିଥିଲେ। ବର୍ତ୍ତମାନସୁଦ୍ଧା ଦେଶର ମୋଟ ୨୭୪ଟି ଜିଲ୍ଲା କୋଭିଡ-୧୯ ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଛନ୍ତି। କୋଭିଡ-୧୯ ପାଇଁ ଆଣ୍ଟି ବଡି ଆଧାରିତ ଦ୍ରୁତ ରକ୍ତ ପରୀକ୍ଷା ନିମନ୍ତେ ଆଇସିଏମଆର ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଅଧିକ ପ୍ରବାସୀ ଭିଡ଼/ଉଦ୍ଧାର କେନ୍ଦ୍ରରେ କରିବା ଲାଗି କୁହାଯାଇଛି। ମାର୍ଗଦର୍ଶିକା ଅନୁସାରେ, ପରୀକ୍ଷା ସମ୍ପର୍କରେ ସିଧାସଳଖ ଆଇସିଏମଆର ପୋର୍ଟାଲରେ ରିପୋର୍ଟିଂ ସୁନିଶ୍ଚିତ କରିବାକୁ ଏହି ବ୍ୟବସ୍ଥା ସୁନିଶ୍ଚିତ କରିବ। ଏହା ଯଥାଶୀଘ୍ର ସନ୍ଦିଗ୍ଧଙ୍କୁ ଠାବ କରିବା ଏବଂ ଠିକ ସମୟରେ ଚିକିତ୍ସା ଆରମ୍ଭ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। ଆଇସିଏମଆର ପକ୍ଷରୁ ଜାରି ସଦ୍ୟ ମାର୍ଗଦର୍ଶିକାରେ କୁହାଯାଇଛି ଯେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦ୍ବାରା କୋଭିଡ-୧୯ ଭୂତାଣୁ ସଂକ୍ରମଣ ବଢ଼ିପାରେ। କୋଭିଡ-୧୯ ମହାମାରୀର ବୃଦ୍ଧି ପାଉଥିବା ବିପଦକୁ ଆଖି ଆଗରେ ରଖି ଲୋକମାନଙ୍କୁ ଧୂଆଁମୁକ୍ତ ତମାଖୁ ଉତ୍ପାଦ ଖାଇବାରୁ ବିରତ ରହିବା ଏବଂ ବାହାରେ ଛେପ ନପକାଇବାକୁ ପରାମର୍ଶ ଦିଆଯାଉଛି। ବର୍ତ୍ତମାନସୁଦ୍ଧା ଦେଶରେ ୩୩୭୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୭୯ ଜଣ ପ୍ରାଣ ହରାଇଛନ୍ତି। ୨୬୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.in ରେ ଇମେଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ or ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି।