ଶଙ୍ଖକ୍ଷେତ୍ର ପୁରୀକୁ ଯୁଦ୍ଧକାଳୀନ ଭିତିରେ ସଜଡା ଯାଉ

ମାସେରୁ ବେଶି ହେଲାଣି ‘ଫୋନି’ର ପଞ୍ଜାରୁ ଏଯାବତ୍ ମୁକୁଳି ପାରିନି ପୁରୀ । ଏବେବି ଅନ୍ଧାର, ଏବେବି କ୍ଷେତ, ବଗିଚା, ଗଛସବୁ ଛାରଖାର, ଗାଁଗଣ୍ଡାରେ ଜୀବନ ନାରଖାର, ପୁରୀବାସୀ ଛଟପଟ, ପଙ୍କ କାଦୁଅରେ ଲଟପଟ, ଉଜୁଡା ଜୀବନର ଖଇଫୁଟା ତାତିରେ ହନ୍ତସନ୍ତ, ଭୋକିଲା-ଶୋଷିଲାଙ୍କ ପଟୁଆର, ପଲିଥିନ୍ରେ ପରିସ୍ରାନ୍ତ, ପଡିର ପୁଡିଆ : କୋଠଳରୁ କୁଡିଆ-ପର୍ଯ୍ୟଟକଙ୍କ ପ୍ରିୟ ପୁରୀ ଆଜି ପରିତ୍ୟକ୍ତ ଶ୍ମଶାନ ଭୂଇଁ । ପୁରୀ ଜିଲ୍ଲାର ୧୧ଟି ବ୍ଲକ୍ରେ ବିପନ୍ନଙ୍କ ଯନ୍ତ୍ରଣା ଅବର୍ଣ୍ଣନୀୟ ବୋଲି ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ମେଜର ଜେନେରାଲ, ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ, ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ, ପୁରୀ ଜିଲ୍ଲା କମାଣ୍ଡର ଲଲାଟେନ୍ଦୁ ମିଶ୍ର ମିଳିତ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

ସେମାନେ ଲେଖିଛନ୍ତି – ସରକାର କିଂକର୍ତବ୍ୟମୁଢ । ପ୍ରଥମେ ରେସନ୍କାର୍ଡ ହୋଲଡରଙ୍କୁ ୭୦କୋଟି ଟଙ୍କା, ପରେ ବିନା ରେସନକାର୍ଡବାଲାଙ୍କୁ ୩୦କୋଟି ଟଙ୍କା ବାଂଟିଛନ୍ତି । ଏବେବି ବିନା କାର୍ଡଧାରୀଙ୍କୁ ଚାଉଳ ଗଣ୍ଡାଏ ମିଳିଲାନାହିଁ । ଏଣେ ସପ୍ଲାଏ ଗୋଦାମରେ ଚାଉଳ ପୋକଖାଇ ଖତ ଖାଉଛି । ଜିଲ୍ଲାର ୩ଲକ୍ଷ ବିଜୁଳି ଗ୍ରାହକଙ୍କ ଘରକୁ ପ୍ରାୟ ୮୦ଭାଗ ବିଜୁଳି ଅପହଂଚ । ବହୁ ବିଦ୍ୟାଳୟ ଭାଙ୍ଗିଯାଇଛି । ଯାହାବି ଅଛି – ସେଠାରେ ବିପନ୍ନମାନେ ଆଶ୍ରୟ ନେଇଛନ୍ତି । ସ୍କୁଲ ସବୁ ଜୁନ୍ ୧୯ ତାରିଖରେ ଖୋଲିବ । ପିଲା ପଢିବେ କେଉଁଠି ? ଆଗକୁ ଜୁଲାଇ ୪ରେ ରଥଯାତ୍ରା । କୋଟିକୋଟି ଟଙ୍କାରେ ନବକଳେବରବେଳେ ନିର୍ମିତ ମାଳତୀ ପାଟପୁର ବସଷ୍ଟାଣ୍ଡ, ପୁରୀ ରେଳ ଷ୍ଟେସନ ଧ୍ୱସ୍ତବିଧ୍ୱସ୍ତ, ଏଣେ ହୋଟେଲ ଶିଳ୍ପ ବିପର୍ଯ୍ୟସ୍ତ । ରଥଯାତ୍ରାବେଳକୁ ୮-୧୦ଲକ୍ଷ ଲୋକ ଆଶ୍ରୟ ନେବେ କେଉଁଠି ? ବର୍ତମାନ କେହି କାହାକଥା ଶୁଣିବାକୁ ନାହିଁ । ସମସ୍ତେ ହାତଟେକି ଦେଉଛନ୍ତି ।

ଯୁଦ୍ଧକାଳୀନ ଭିତିରେ ଅସଜଡା ପୁରୀକୁ ସଜାଡିବାକୁ ହେବ । ବର୍ଷା ପୂର୍ବରୁ ମୁଣ୍ଡ ଉପରେ ଛାତ ନିହାତି ଦରକାର । ସରକାରୀ ମାଲଖାନାରେ ପଡିରହିଥିବା ରିଲିଫ୍ ସାମଗ୍ରୀକୁ ଦରକାରବେଳେ ଦିଆହେଉନାହିଁ । ତୁରନ୍ତି ବିପନ୍ନଙ୍କୁ ଦେବାର ବନ୍ଦୋବସ୍ତ କରାଯାଉ । ଅତ୍ୟନ୍ତ ଆବଶ୍ୟକ ବିଜୁଳି ପାଣି ଯୋଗାଯାଉ । ସ୍ଥାନୀୟ ପ୍ରଶାସନ ସ୍ୱେଛାସେବୀମାନଙ୍କୁ ବିଶ୍ୱାସକୁ ନେଇ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ । ପୁରୀ ଗଜପତି ଏ ଦାରୁଣ ବିପତିବେଳେ ଲୋକଙ୍କ ସହିତ ରହି ସରକାରଙ୍କୁ ତାଗିଦ୍ କରିବାପାଇଁ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ପକ୍ଷରୁ ଗତ ୨୭ ତାରିଖ ‘ମଣିମା ଶୁଣିମା ହେଉ’ ନିବେଦନ ପତ୍ର ଦିଆଯାଇଥିଲା । ଏଥିପ୍ରତି ଗଜପତି ମହୋଦୟ ତୁରନ୍ତ ଦୃଷ୍ଟି ଦିଅନ୍ତୁ । ପୁଣି ଜୁନ୍ ୫ ତାରିଖ କାଳବୈଶାଖୀରେ ପୁରୀ ଛିନ୍ଛତ୍ର ହୋଇଗଲା । ସାମାନ୍ୟ ସଜଡା ଘରକୁ, ଦୋକାନକୁ ଅସଜଡା କରିଦେଲା । ସାମାନ୍ୟ ପବନ ବୋହିଲେ ବିପନ୍ନମାନେ ଭୟରେ ଥରହର । ଏମିତି କହଳବିକଳ କେବେ ପୁରୀବାସୀ ତାଙ୍କ ଜୀବନକାଳ ମଧ୍ୟରେ ହୋଇନଥିଲେ ।

ଖାଲି ଖବରକାଗଜରେ କୋଟିକୋଟି ଟଙ୍କା କୁବେର କମ୍ପାନୀମାନେ ଦେଉଛନ୍ତି – କେନ୍ଦ୍ରରେ ଆହୁରି ଦେବ । କିନ୍ତୁ ପୁରୀର ଖସିପଡିଥିବା ଦଧିନଉତି ପାଇଁ ଏ ଶାସନ ଓ ପ୍ରଶାସନର ହାତ ଲମ୍ବିଆସିବା ଦୂରେଥାଉ, ଚାଲିଛି କେବଳ ନୂଆ ମନ୍ତ୍ରୀମଣ୍ଡଳର ଚର୍ଚ୍ଚା ପରିଚର୍ଚ୍ଚା । ଆଜି ଓଡିଶାର ପୁରୀ ପାଇଁ ମଣିଷ ବଡ ନା ମଣିମା ବଡ, ନା ମନ୍ତ୍ରୀ ବଡ, କିଏ ବଡ? ଏ ପ୍ରଶ୍ନ ଚାବୁକ୍ ମାରିଲା ପରି ଚେତନା ଉପରେ ଛାପ ଛାଡିଯାଉଛି । ଆଉ କେତେ ପାପ କଲେ ଏ ସମାଜପତିମାନଙ୍କର ପ୍ରାୟଶ୍ଚିତର କଥା ମନେପଡିବ । ଭୋକିଲା ମୁହଁକୁ ଅଖାଦ୍ୟ, ଶୋଷିଲା ମୁହଁକୁ ଅନୁପଯୁକ୍ତ ପାନୀୟଜଳ, ଏବେ ପୁରୀରେ ବହୁ ଦୁରାରୋଗ୍ୟ ବ୍ୟାଧି ଉପଜାଇବାର ଆଂଶଙ୍କା ସୃଷ୍ଟିକଲାଣି । ଆଗପରି ସମୁଦ୍ରକୂଳରେ ଆଉ ସେ ସୁଖକର ସାନ୍ଧ୍ୟଭ୍ରମଣ ନାହିଁ କି ଜହ୍ନରାତିକୁ ଉପଭୋଗ କରିବାର ଆଗ୍ରହ ନାହିଁ ।

ସଚ୍ଚିବାଳୟର ଶୀତତାପ ନିୟନ୍ତ୍ରୀତ କୋଠରୀଗୁଡିକରେ ଆଉ ଘଂଟାଘଂଟା ନବସି ମନ୍ତ୍ରୀ ଅଫିସରମାନେ ପୁରୀର ଧ୍ୱସ୍ତବିଧ୍ୱସ୍ତ ଧୂସର ପୁରପଲ୍ଲୀରେ ଅନ୍ତତଃ କିଛିଦିନ ପାଇଁ ପାଦରେ ଚାଲିଚାଲି ଗସ୍ତ କରନ୍ତୁ ଏବଂ ଅସ୍ତବ୍ୟସ୍ତ ଜନଜୀବନର ତାପମାତ୍ରା ଆନ୍ତରିକତାର ସହିତ ପରିମାପ କରନ୍ତୁ । ପୁରୀର ପାରଦ ବଢୁଛି କି ଖସୁଛି ଏ ଅନୁଭୂତି ସେମାନେ ନିଜପାଇଁ ନିଜେ ଅଙ୍ଗଲିଭା କରିପାରିଲେ ହିଁ ଖବରକାଗଜର ହରଫ୍ କି ହେଲିକେପ୍ଟର ଖୋଲା ଖିଡିକିରେ ଆଉ କ୍ଷୟକ୍ଷତିର ମାନଚିତ୍ରକୁ ଠଉରାଇବାର ଆବଶ୍ୟକତା ପଡିବନାହିଁ । ସରକାର ମଣିଷମାନଙ୍କର ମୂଲ୍ୟ ବୁଝନ୍ତୁ । ମାଟିର ସତ୍ୟ ହୃଦୟଙ୍ଗମ କରନ୍ତୁ । ଆଜିର ଏ ଦାରୁଣ ଦୁର୍ଗତିବେଳେ ବୁଦ୍ଧିବିଚାରି ଯଥାଶୀଘ୍ର ବିହିତ ପଦକ୍ଷେପ ନିଅନ୍ତୁ । ନହେଲେ ନେଡିଗୁଡ କହୁଣୀକୁ ବୋଇଗଲାବେଳକୁ କୋଟିକୋଟି ଟଙ୍କାର ଦାନଅନୁଦାନ ଆସି ରାଜକୋଷରେ ଯେତେ ଠୁଳ ହେଲେବି ଦୁର୍ଗତ ମଣିଷର କୋଉ କାମରେ ବି ଲାଗିବନି ବୋଲି ଶ୍ରୀ ନାୟକ ସରକାରଙ୍କୁ ସତର୍କ କରିଦେଇଛନ୍ତି ।

ମଣିଷକୁ ଏ ଯେଉଁ ହାତ ମିଳିଛ – ଏ ହାତ ଦାନିଅନୁଦାନୀ ମାନଙ୍କ ଆଗରେ ପାପୁଲି ପତେଇବାର ନୁହେଁ । ବଂର ଏ ହାତ ନିଜର ହକ୍ ଅସୁଲ କରିବାପାଇଁ, ନିଜର ବଦ୍ଧମୁଷ୍ଟି ସହିତ ଆକାଶ ଆଡକୁ ଉତରିତ ହେବା ପ୍ରୟୋଜନ । ଆଜି ଆଉ ମୁଣ୍ଡରେ ହାତଦେଇ ବସିବାର ବେଳନୁହେଁ – ଅଧିକାର ଛିଣ୍ଡେଇ ଆଣିବାର ସମୟ ଆସିଛି । ପୁରୀରେ କେବେ ବାଜିବ ଜୀବନଯୁଦ୍ଧର ତୁରୀ!

ମାୟାଧର ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ