ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ବତନ୍ତ୍ର କୋଭିଡ୍-୧୯ ଏମର୍ଜେନ୍ସି ପ୍ୟାକେଜ୍ ଘୋଷଣା
ନୂଆଦିଲ୍ଲୀ: କୋଭିଡ୍-୧୯ ଭୂତାଣୁ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଥିବାରୁ ଏଣିକି ସମଗ୍ର ଦେଶରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥା ଲାଗୁ କରାଯିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ଏହି କ୍ରମରେ ଗୁରୁବାର କେନ୍ଦ୍ର ସରକାର ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥା ଲାଗୁ କରିବା ସକାଶେ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ୍ (ଏନ୍ଏଚ୍ଏମ୍) ଅଧୀନରେ ଲାଗୁ ହେବାକୁ ଥିବା ଏହି ସ୍ବତନ୍ତ୍ର ପ୍ୟାକେଜର ନାମ ‘ଇଣ୍ଡିଆ କୋଭିଡ୍-୧୯ ଏମର୍ଜେନ୍ସି ରେସପନ୍ସ ଏଣ୍ଡ୍ ହେଲଥ ସିଷ୍ଟମ୍ ପ୍ରିପେୟାର୍ଡନେସ୍ ପ୍ୟାକେଜ୍’ ରଖାଯାଇଛି। ଏହା ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ କୋଭିଡ୍-୧୯ ପରି ଭୂତାଣୁର ମୁକାବିଲା ସକାଶେ ସ୍ବତନ୍ତ୍ର ପ୍ରକାର ଚିକିତ୍ସା ବ୍ୟବସ୍ଥା ଲାଗୁ ପାଇଁ ଲକ୍ଷ୍ୟ ରଖିଛି। ଏନ୍ଏଚ୍ଏମ୍ ନିର୍ଦେଶିକା ବନ୍ଦନା ଗୁରନାନିଙ୍କ ଦ୍ବାରା ମଞ୍ଜୁରୀ ପାଇଥିବା ଏହି ପ୍ୟାକେଜର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କୁହାଯାଇଛି। ଏହି ଯୋଜନାର ଅବଧି ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରହିଛି। ଏ ସଂକ୍ରାନ୍ତରେ ଏନ୍ଏଚ୍ଏମ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ କୋଭିଡ୍-୧୯ ଭୂତାଣୁର ବ୍ୟାପକତା ଦେଶରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସକାଶେ ଏକ ଠୋସ୍ ସ୍ବାସ୍ଥ୍ୟସେବା ନୀତିର ଆବଶ୍ୟକତା ରହିଥିବା ପ୍ରମାଣିତ କରିଛି। ତେଣୁ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯେପରି ପ୍ରସ୍ତୁତ ରହିବେ, ସେଥିସକାଶେ ଯୋଜନା ପ୍ରସ୍ତୁତ କରାଯାଇଛି।
ଏଥିରେ ପ୍ରତିକାର ଓ ପ୍ରସ୍ତୁତି, ଜରୁରୀ ଡାକ୍ତରୀ ସରଞ୍ଜାମ ହାସଲ, ଖାଦ୍ୟଦ୍ରବ୍ୟ ଓ ଔଷଧ, ଲାବୋରେଟୋରି ଓ ବାୟୋସିକ୍ୟୁରିଟି ପ୍ରସ୍ତୁତି ଆଦି ଉପରେ ଗୁରୁତ୍ବାରୋପ କରାଯାଇଛି ବୋଲି ଉକ୍ତ ବିବୃତିରେ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, କମିଶନର୍ (ସ୍ବାସ୍ଥ୍ୟ)ଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଛି। ଏ ନେଇ ତୁରନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କେଉଁ ରାଜ୍ୟ ପାଇଁ କେତେ ପାଣ୍ଠି ଯୋଗାଇ ଦିଆଯାଇଛି, ସେଥିନେଇ ମଧ୍ୟ ସବିଶେଷ ସୂଚନା ଦିଆଯାଇଛି। ଏନ୍ଏଚ୍ଏମ୍ ଅଧୀନରେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଆସନ୍ତା ଜୁନ୍ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ୍ ଓ ଆଇସୋଲେସନ୍ ବ୍ଲକ୍, ନେଗେଟିଭ୍ ପ୍ରେସର୍ ଆଇସୋଲେସନ୍ ରୁମ୍, ଭେଣ୍ଟିଲେଟର୍ ସୁବିଧାସମ୍ପନ୍ନ ଆଇସିୟୁ, ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ, ହସ୍ପିଟାଲର ଲାବୋରେଟୋରିର ସୁଦୃଢ଼ୀକରଣ, ଅତିରିକ୍ତ ମାନବ ସମ୍ବଳ ଯୋଗାଡ଼ ଓ ସେମାନଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀଙ୍କୁ ଅତିରିକ୍ତ ପାଉଣା ପ୍ରଦାନ ଆଦି ଉପରେ ଫୋକସ୍ କରାଯାଇଛି। ଏହାଛଡ଼ା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପିପିଇ, ଏନ୍୯୫ ମାସ୍କ, ଭେଣ୍ଟିଲେଟର୍ ବାବଦରେ ମଧ୍ୟ କେନ୍ଦ୍ର ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇପାରିବେ ବୋଲି ଏନ୍ଏଚ୍ଏମ୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।