୧୫ହଜାର କୋଟି ଟଙ୍କାର କୋଭିଡ-୧୯ ଜରୁରିକାଳୀନ ଓ ସ୍ଵାସ୍ଥ୍ୟବ୍ୟବସ୍ଥା ମୁକାବିଲା ପ୍ୟାକେଜ

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରୁରିକାଳୀନ ସ୍ଵାସ୍ଥ୍ୟଭିତ୍ତିକ ପ୍ୟାକେଜ ବାବଦକୁ ୧୫ହଜାର କୋଟି ଟଙ୍କା ମଞ୍ଜୁର କରିଛି । ଏହି ମଞ୍ଜୁର ଅର୍ଥ ମଧ୍ୟରୁ ୭,୭୭୪ କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା ୧ବର୍ଷରୁ ୪ବର୍ଷ ମଧ୍ୟରେ ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ । ଏହି ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ-୧୯ ପ୍ରକୋପକୁ ରୋଗ ନିରୂପଣ ଦ୍ଵାରା ସମାଧାନ କରିବା, ସଂକ୍ରମିତ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଓ ଉପକରଣ ଆହରଣ କରିବା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପଦ୍ଧତିକୁ ଅଧିକ ନମନୀୟ କରି ଏହାର ପ୍ରଭାବ ହ୍ରାସ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ସମଗ୍ର ଯୋଜନା ତ୍ୱରାନ୍ୱିତ କରାଯିବ । ଗତ ମାସ ୨୪ତାରିଖ ଦିନ ପ୍ରଧାନମନ୍ତ୍ରୀ ଦେଶକୁ ଉଦବୋଧନ ଦେବା କାଳରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଦେଶର ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ୧୫ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ଏହାଦ୍ଵାରା କରୋନା ସଂକ୍ରମଣ ପରୀକ୍ଷା ପରିସର ବୃଦ୍ଧି, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଏକାନ୍ତବାସ ଓ ଆଇସିୟୁ ଶଯ୍ୟା ବୃଦ୍ଧି ଓ ଭେଣ୍ଟିଲେଟର ବାବଦରେ ଏହି ଅର୍ଥ ବ୍ୟୟ ହେବ । ଏହାଛଡା ଡାକ୍ତରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ତାଲିମ ସହ ଦେଶରେ ସ୍ୱାସ୍ଥ୍ୟ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ମଞ୍ଜୁର ଅର୍ଥର ସିଂହ ଭାଗ ଜରୁରିକାଳୀନ ବ୍ୟବସ୍ଥାର ଉନ୍ନତିକରଣ, ଦେଶ ଓ ରାଜ୍ୟର ସ୍ୱାସ୍ଥ୍ୟ ପଦ୍ଧତିକୁ ସୁଦୃଢ କରି ମହାମାରୀ ଉପରେ ଅଧିକ ଗବେଷଣା ଏବଂ ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ମଧ୍ୟ ରଖାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଆଇସିଏମଆର, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଇତ୍ୟାଦି ସଂସ୍ଥା ଜରିଆରେ ଏହିସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ମହାମାରୀକୁ ରୋକିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସରକାରୀ କ୍ଷେତ୍ରରେ ୧୫୭ ଓ ବେସରକାରୀ କ୍ଷେତ୍ରରେ ୬୬ ଏହିଭଳି ମୋଟ ୨୨୩ଟି ପରୀକ୍ଷାଗାର ନିର୍ମାଣ କରି କରୋନା ସଂକ୍ରମଣର ପରୀକ୍ଷା ନିରୀକ୍ଷା କରୁଛି । ଏହାଛଡା ମନ୍ତ୍ରଣାଳୟର ଜରୁରିକାଳୀନ ଭିତ୍ତିରେ କୋଭିଡ-୧୯ର ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୪,୧୧୩କୋଟି ଟଙ୍କା ପ୍ରଦାନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ