ମୋଦିଙ୍କୁ ପ୍ରଭୁ ହନୁମାନଙ୍କ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି

ରିଓ ଡି’ ଜେନେରୋ: କୋରୋନା ବିରୋଧୀ ଲଢ଼େଇ ସବୁ ଦେଶ ଜାନ୍ ଲଗାଇ ଦେଇଥିଲା ବେଳେ ଭାରତ ସରକାର ଏନେଇ ବିଶ୍ବର କୋରୋନା ପ୍ରଭାବିତ ପ୍ରମୁଖ ରାଷ୍ଟ୍ରମାନଙ୍କୁ ସହାୟତା ଦେବା ଆରମ୍ଭ କରିଛନ୍ତି। ବିଶ୍ୱ ବଜାରରେ ହଠାତ ଭାରତୀୟ ଔଷଧର ଚାହିଦା ବଢିଯାଇଛି। ବିଶେଷକରି ଭାରତ ବିଶ୍ବରେ ସର୍ବାଧିକ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ପ୍ରସ୍ତୁତକାରୀ ଓ ରପ୍ତାନୀକାରୀ ରାଷ୍ଟ୍ର ହୋଇଥିବାରୁ କୋରୋନା ପ୍ରଭାବିତ ସମସ୍ତ ରାଷ୍ଟ୍ର ବର୍ତ୍ତମାନ ଏନେଇ ଭାରତ ଉପରେ ନିର୍ଭର କରୁଛନ୍ତି। ଭାରତ ସରକାରଙ୍କ ପାଖରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରହିଛି। କୋରୋନା ମୁକାବିଲାରେ ଏହା ବର୍ତ୍ତମାନ ବିଶ୍ବରେ ସବୁଠାରୁ ବେଶୀ ଗୁରୁତ୍ବ ବହନ କରୁଥିବାରୁ ବିଶ୍ବର ସବୁ ରାଷ୍ଟ୍ର ଭାରତ ସରକାରଙ୍କୁ ଏହାର ଯୋଗାଣ ନେଇ ଚାପ ପକାଉଛନ୍ତି। କୋରୋନା ରୋଗୀଙ୍କ ଉପଚାର କ୍ଷେତ୍ରରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଯୋଗାଣ ପାଇଁ ଆମେରିକା ପରେ ବ୍ରାଜିଲ ମଧ୍ୟ ଭାରତକୁ ଅନୁରୋଧ କରିଥିଲା। ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ୍‌. ବୋଲସାନାରୋ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଔଷଧ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ମୋଦି ଏହାକୁ ଯୋଗାଇ ଦେବାରୁ ବୋଲସାନାରୋ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ପ୍ରଭୁ ହନୁମାନଙ୍କ ସହିତ ତୁଳନା କରିଛନ୍ତି।
ଏହିପରି ସ୍ଥିତିରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ୍‌. ବୋଲସାନାରୋ ଭାରତ ସରକାରଙ୍କ ପାଖକୁ ଲେଖିଥବା ପ୍ରଶଂସାପତ୍ରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତି ବୋଲସନାରୋ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସେ ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୋଲସାନାରୋ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଭାରତର ସହଯୋଗ ପ୍ରଭୁ ହନୁମାନଙ୍କ କାର୍ଯ୍ୟ ସହ ସମାନ। ସେ ମୋଦିଙ୍କୁ ପ୍ରଭୁ ହନୁମାନଙ୍କ ସହିତ ତୁଳନା କରିଛନ୍ତି। ମୋଦି ପ୍ରଭୁ ହନୁମାନଙ୍କ ଭଳି ସଙ୍କଟ ସମୟରେ ସଞ୍ଜୀବନୀ ବୁଟି ଆଣିଦେଇଥିବା ସେ କହିଛନ୍ତି। ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କୁ ଭଲ କରିବା ପାଇଁ ସଞ୍ଜୀବନୀ ବୁଟି ଆଣିବାକୁ ପ୍ରଭୁ ହନୁମାନ ହିମାଳୟକୁ ହାତରେ ଟେକି ନେଇ ଆସିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ବର୍ଟିମିଉରେ ଅସୁସ୍ଥଙ୍କୁ ଭଲ କରିବା ପାଇଁ ଏପରି କିଛି ମହତନୀୟ କାମ କରିଥିଲେ। ବର୍ତ୍ତମାନ ଭାରତ ସରକାର ଠିକ୍ ଏହିପରି କାର୍ଯ୍ୟ କରି ପୁରାଣ ବର୍ଣ୍ଣିତ ପ୍ରଭୁ ହନୁମାନଙ୍କ କଥା ମନେ ପକାଉ ଦେଉଛନ୍ତି ବୋଲି ରାଷ୍ଟ୍ରପତି ବୋଲସନାରୋ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ କଞ୍ଚାମାଲ ଶନିବାର ସୁଦ୍ଧା ବ୍ରାଜିଲରେ ପହଞ୍ଚାଇବା ନେଇ ପ୍ରତିଶ୍ରୁତି ମିଳିଥିବା ସେ ତାଙ୍କ ଦେଶବାସୀଙ୍କୁ ସାନ୍ତ୍ବନା ଦେବା ଅବସରରେ କହିଛନ୍ତି ବୋଲସାନାରୋ। ଡ୍ରଗ୍ସ ରପ୍ତାନୀ ନେଇ ଥିବା କଟକଣାକୁ ମୋଦି ଉଠାଇ ଦେଇଥିବାରୁ ବୋଲସାନାରୋ ମଧ୍ୟ ତାରିଫ କରିଛନ୍ତି। ସେହିପରି ଆମେରିକାରେ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ପହଞ୍ଚିବା ପରେ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ନେବା ପାଇଁ ପୃଥିବୀର ୩୦ରୁ ଅଧିକ ଦେଶ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଔଷଧ ଯୋଗାଣ ପାଇଁ ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ ଏହାକୁ ନେଇ କିଛିଟା ବିବାଦ ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ଅନୁରୋଧ ପରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରପ୍ତାନି ଆରମ୍ଭ କରିଥିଲା। ତେବେ ଦେଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର କୌଣସି ଅଭାବ ନାହିଁ ଓ ଭବିଷ୍ୟତରେ ଏହି ଔଷଧର ଅଭାବ ଦେଖାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ