ଗାଡ଼ି ଚୋରକୁ କରୋନା , କ୍ୱାରେଣ୍ଟାଇନରେ ୧୭ ପୁଲିସ, ବିଚାରପତି
ଲୁଧିଆନା: ଲୁଧିଆନାର ୧୭ ଜଣ ପୁଲିସ ଅଫିସର ଓ ଜଣେ ବିଚାରପତିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗିରଫ ହୋଇଥିବା ଜଣେ ଗାଡ଼ି ଚୋରଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଗୁରୁବାର ଲୁଧିଆନାରେ ଚିହ୍ନଟ ହୋଇଥିବା ୨ ଜଣ କରୋନା ପଜିଟିଭ ସଂକ୍ରମିତଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ଗାଡ଼ି ଚୋର ରହିଥିଲା । ନିକଟରେ ପୁଲିସ ପାଟ୍ରୋଲିଂ ବେଳେ ଉକ୍ତ ବ୍ୟକ୍ତିଙ୍କୁ ଏକ ଚୋରା ମୋଟର ସାଇକେଲ ସହ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ଜେଲ ହାଜତକୁ ପଠାଯାଇଥିଲା ଓ ପରେ ପରେ କୋର୍ଟ ସମ୍ମୁଖରେ ହାଜର କରାଯାଇଥିଲା । ଜଣେ ଅଧିକାରୀ କହିଛନ୍ତି କାଶ ଓ ଥଣ୍ଡା ହେଉଥିବା ନେଇ ଉକ୍ତ ଗାଡ଼ି ଚୋର ଜଣକ ଜଣାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଚୋର କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଅବଗତ କରାଇଥିଲେ । ଗାଡ଼ି ଚୋର ଜଣକ ପୂର୍ବରୁ ଜୟପୁର ଗସ୍ତ କରିଥିଲେ । ଯେଉଁଠାରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
କରୋନା ପଜିଟିଭ ରିପୋର୍ଟ ଆସିବା ପରେ ଗାଡ଼ି ଚୋର ଜଣକର ଗିରଫ ସହ ଜଡ଼ିତ ହୋଇଥିବା ୧୭ ଜଣ ପୁଲିସ ଅଫିସରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ଛଡ଼ା ଚୋରକୁ ହାଜର କରାଯାଇଥିବା କୋର୍ଟର ବିଚାରପତିଙ୍କୁ ମଧ୍ୟ ସେଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପି୍ରଲ ୬ ତାରିଖରେ ଏହି ୨୪ ବର୍ଷୀୟ ଗାଡ଼ି ଚୋର ଓ ତାର ସାଥୀମାନେ ଏକ ମୋଟର ସାଇକେଲ ସମେତ କିଛି ଚୋରା ସାମଗ୍ରୀ ବିକ୍ରି କରିବାକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା ।


