ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ ପ୍ରତିବାଦରେ ଶଶୁରଘର ପୋଡିଲେ ବାପଘର ଲୋକ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍): ଏକ ଯୌତୁକ ଜନିତ ବଧୂହତ୍ୟା ପ୍ରତିବାଦରେ ବାପ ଘର ଲୋକେ ଶାଶୁ ଘରେ ପହଞ୍ଚି ଜିନିଷପତ୍ର ଭଙ୍ଗା ରୁଜା କରିବା ସହିତ ୨ ବଖରା ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ବାବାଜୀ ମହାରଣା ଗତ ୨୦୧୨ ମସିହାରେ ସେହି ଥାନା ଅନ୍ତର୍ଗତ ବଳିରାଜ ଗ୍ରାମର ରିଙ୍କି ମହାରଣାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ସମସ୍ତ ଯୌତୁକ ପ୍ରଦାନ କରାଯାଇଥିଲା । ଏହାର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ ରିଙ୍କି ଉପରେ ଅତ୍ୟାଚାର କରୁଥିଲେ । ଶନିବାର ଦିନ ରିଙ୍କି ଘରେ ରଶି ଦେଇ ଆତ୍ମହତ୍ୟା କରିଥିଲେ । ଝିଅ ମାରି ଯାଇଥିବାର ଖବର ପାଇ ବାପ ଘର ଲୋକେ ଝିଅ ଘରେ ପହଞ୍ଚି ଆସବାବପତ୍ର ଫିଙ୍ଗା ଫୋପଡା କରିବା ସହିତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ବାବାଜୀ ମହାରଣାଙ୍କ ୨ ବଖରା ଚାଳ ଛପର ଘର ସହିତ ସମସ୍ତ ଆସବବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ କେନ୍ଦ୍ରାପଡାରୁ ଅଗ୍ନିଶମ ବାହିନୀ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ରିଙ୍କିର ମାଆ ଝୁନୁ ମହାରଣା ତାଙ୍କ ଝିଅକୁ ମାରି ଦିଆଯାଇଥିବା ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ବୋହୁ ରିଙ୍କିର ବାପ ଘର ଲୋକେ ତାଙ୍କ ଘର ପୋଡି ଦେଇଥିବା ନେଇ ଏକ ପାଲଟା ଅଭିଯୋଗ ବାବାଜୀଙ୍କ ପରିବାର ପକ୍ଷରୁ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ