ଅଁରା ହତ୍ୟା ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁର୍ଘଟଣା ଜନିତ ମୃତ୍ୟୁ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଯୁବକଙ୍କ ମୃତ୍ୟୁକୁ ନେଇ ପଞ୍ଜିକରଣ ହୋଇଥିବା ହତ୍ୟା ମାମଲାର ଶବ ବ୍ୟବଛେଦ ରିପୋର୍ଟରେ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଉଲ୍ଲେଖ ଅଛି l ଉକ୍ତ ରିପୋର୍ଟ ଗତ ସୋମବାର ନଭେମ୍ବର ୧୬ ତାରିଖ ମେଡିକାଲ ତରଫରୁ ଗ୍ରହଣ ହୋଇଥିବା ପୁଲିସ ପ୍ରକାଶ କରିଛି l କିନ୍ତୁ ଏହି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ଦାବୀ କରି ଆସନ୍ତା ନଭେମ୍ବର ୩୦ରେ ନନ୍ଦିପଦା ଥାନା ଘେରାଉ କରାଯିବ ବୋଲି ମୃତକଙ୍କ ପରିବାର ତରଫରୁ ଆନନ୍ଦପୁର ଏସଡିପିଓଙ୍କୁ ଲିଖିତ ଭାବେ ପ୍ରଦାନ କରାଯାଇଛି l ଅପର ପକ୍ଷେ ଅଭିଯୁକ୍ତଙ୍କ ପରିବାର ତରଫରୁ ଉପଯୁକ୍ତ ତଦନ୍ତ ଏବଂ ନ୍ୟାୟ ଦାବୀରେ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ପ୍ରକାଶ କରିଛନ୍ତି l ଯାହାକୁ ନେଇ ପୁଲିସ ଏବେ ଅଯଥା ଚିନ୍ତାରେ ପଡିଛି l ସୂଚନା ଅନୁସାରେ, ଗତ ରବିବାର ନଭେମ୍ବର ୮ ତାରିଖ ଦୀପାବଳୀ ଦିନ ପ୍ରଶାନ୍ତ ଜେନାଙ୍କ ପୁଅ ଶାନ୍ତନୁ (୧୯ ବର୍ଷ) ଅନ୍ୟ ୫ ଜଣଙ୍କ ସହ ମିଶି ଭୋଜି କରୁଥିଲେ l ପରଦିନ ୯ ତାରିଖ ସୋମବାର ଅଁରା – ବୃନ୍ଦାବନପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ଆବର୍ଜନା ଘର ନିକଟରୁ ଶାନ୍ତନୁଙ୍କ ମୃତ ଦେହ ମିଳିଥିଲା l ମୃତ ଶାନ୍ତନୁଙ୍କ ମା’ ପ୍ରମିଳା ଜେନା ଗ୍ରାମର ଧବଳେଶ୍ୱର ଆୟଚ ଓରଫ ଭୋଳା, ବାପୁଜୀ ଜେନା, ଲାଲୁ ପରିଡ଼ା, ସନ୍ତୋଷ ରାଜ ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତି ପ୍ରମୁଖଙ୍କ ନାମରେ ହତ୍ୟା ଅଭିଯୋଗ କରିଥିଲେ l ପୁଲିସ ମାମଲା ନଂ ୪୦୦/୨୦୨୬ ପଞ୍ଜିକରଣ କରିଥିଲା l ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲକୁ ପଠାଇଥିଲା l ଘଟଣା ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରେ ମୃତ ଦେହ ରଖି ରାସ୍ତାରୋକ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତି ସହ ଚାପରେ ପଡ଼ି ପୋଲିସ ଜଣେ ଅଭିଯୁକ୍ତ ଭୋଳାକୁ ବାଧ୍ୟ ହୋଇ ଗିରଫ ମଧ୍ୟ କରିଥିଲା। ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ତଦନ୍ତ ଏବଂ ପ୍ରମାଣ ଆଧାରରେ ପଦକ୍ଷେପ ନିଆଯାଉଛି l ଉକ୍ତ ହତ୍ୟା ମାମଲାର ଶବ ବ୍ୟବଛେଦ ରିପୋର୍ଟରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି l ତେଣୁ ଅନ୍ୟ ଅଭିଯୁକ୍ତ ମାନଙ୍କୁ ବିନା ଠୋସ ପ୍ରମାଣରେ ଗିରଫ କରିବା ଆଇନ ସମ୍ମତ ନୁହେଁ l ଆଇନଜୀବି ଅନିଲ କୁମାର ବାରିକ, ମନୋଜ କୁମାର ପାଣି ଏବଂ ଆର୍ଯ୍ୟଭଟ୍ଟ ମୈକାପ କହିଛନ୍ତି ଯେ ଅର୍ଣ୍ଣେଶ କୁମାର ବନାମ ଷ୍ଟେଟ ଅଫ ବିହାର,ଯୋଗୀନ୍ଦର କୁମାର ବନାମ ଷ୍ଟେଟ ଅଫ ୟୁପି,ସତେନ୍ଦ୍ର କୁମାର ଅଣ୍ଟିଲ୍ ବନାମ ସିବିଆଇ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ କହିଛନ୍ତି ଯେ ଗିରଫ ପୁଲିସର କ୍ଷମତା, କିନ୍ତୁ ଦାବିର ଚାପରେ ନିରୀହଙ୍କୁ ଗିରଫ କରିବା ଆଇନ୍ ବିରୋଧୀ ଅଟେ l ଡିକେ ବାସୁ ବନାମ ଷ୍ଟେଟ ଅଫ ୱେଷ୍ଟ ବେଙ୍ଗଲ ଏବଂ ଲଲିତା କୁମାରୀ ବନାମ ଷ୍ଟେଟ ଅଫ ୟୁପି ମାମଲାରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ପୁଲିସ୍ ଉପରେ ଚାପ ପକାଇ ନିରୀହ ଲୋକଙ୍କୁ ଗିରଫ କରାଇବା ନ୍ୟାୟ ନୁହେଁ,ଅନ୍ୟାୟ l ଏପରିକି ଅମିତ ଶାହିନ୍ ବାଗ୍ ବନାମ କମିଶନର ଅଫ ପୁଲିସ ଏବଂ ମଜଦୁର କିଷାନ୍ ଶକ୍ତି ସଂଗଠନ ବନାମ ୟୁନିଅନ ଅଫ ଇଣ୍ଡିଆ ମାମଲା ରେ ମଧ୍ୟ କହିଛନ୍ତି ଯେ ଦାବି କର, ଘେରାଉ ନୁହେଁ। ପ୍ରମାଣ ଦିଅ, ଚାପ ନୁହେଁ। କୋର୍ଟ ଯାଅ, ଥାନା ବନ୍ଦ କର ନାହିଁ l ଅପର ପକ୍ଷେ ବିଏନଏସଏସ ଧାରା ୩୫ ଅନୁସାରେ ପୁଲିସ୍ ଗିରଫ କରିପାରିବ କେବଳ ଯଦି ଅଭିଯୁକ୍ତଙ୍କ ବିରୋଧରେ ଯୁକ୍ତିଯୁକ୍ତ ପ୍ରମାଣ ଥାଏ।


