ଭୋପାଳରେ ନାବାଳିକାକୁ ହତ୍ୟା ୬ ପୁଲିସ୍ କର୍ମୀ ନିଲମ୍ବିତ
ଭୋପାଳ(ଏଜେନ୍ସି): ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଅଢେଇ ବର୍ଷ ଶିଶୁକୁ ନିର୍ମମ ହତ୍ୟା, ହମିରପୁରରେ ଜଣେ ୧୧ବର୍ଷିୟା ନାବାଳିକାକୁ ଗଣଦୁଷ୍କର୍ମ ଗଳି ଘଟଣାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଭୋପାଳରେ ଆଉ ଜଣେ ନାବାଳିକାକୁ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଅନ୍ତର୍ଗତ କମଳାନଗରର ଏକ ନାଳରୁ ରବିବାର ସେହି ଅଞ୍ଚଳରେ ଜଣେ ୮ ବର୍ଷିୟା ନାବାଳିକାର ମୃତଦେହ ମିଳିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିବା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର ସଠିକ୍ କାରଣ ଜଣାପଡ଼ିନାହିଁ । ଘଟଣାକୁ ନେଇ ପ୍ରଶାସନିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗୃହମନ୍ତ୍ରୀ ବାଲା ବଚ୍ଚନ ପ୍ରତିଶ୍ରୁତି ଦେଇଛନ୍ତି । ଏହି ମାମଲାରେ ଅଦ୍ୟାବଧି ୬ ପୁଲିସ୍ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ତଦନ୍ତ ଅଧିକାରୀ ଏଏସ୍ପି ଅତୁଲ ପଟେଲ କହିଛନ୍ତି ଯେ କମଳାନଗର ନାଳରୁ ମିଳିଥିବା ନାବାଳିକାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ନାବାଳିକାକୁ କିପରି ହତ୍ୟା କରାଯାଇଛି ତାହା ଜଣାପଡିବ ।


