୧୧ତମ ସ୍ୱନକ୍ଷତ୍ର ଦିବସ ଗୋପବନ୍ଧୁ ଲୋକଙ୍କର କଥା କହୁଥିଲେ ସାହିତ୍ୟ ମାଧ୍ୟମରେ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଦୈନିକ ‘ସମାଜ’ ଚଳିତ ବର୍ଷ ଏହାର ଶହେତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଗୁରୁବାର ବାଲେଶ୍ୱର ସଂସ୍କରଣର ଏକାଦଶ ସ୍ୱନକ୍ଷତ୍ର ଦିବସ ଗାନ୍ଧୀ ସ୍ମୃତି ଭବନ ପରିସରରେ ପାଳିତ ହୋଇଯାଇଛି । ସକାଳେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର ସାମ୍ବାଦିକ ଓ ବିତରକମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ‘ସମାଜ’ର ପୂର୍ବତନ ପରିଚାଳକ ସୁରେଶମନ୍ତ୍ରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ଜିଲାପାଳ ରମେଶ ଚନ୍ଦ୍ର ରାଉତ, ଡିଆରଡିଏ ପିଡ଼ି ତ୍ରିଲୋଚନ ପ୍ରଧାନ, ଡିଏସପି ମନୋବ୍ରତା ଶତପଥୀ, କବି ପ୍ରଶାନ୍ତ ଦାସ, ବିପ୍ଳବ କୁମାର ମହାନ୍ତି, ଅଧ୍ୟାପିକା ପ୍ରଜ୍ଞା ପାରମିତା ପଟ୍ଟନାୟକ, ଅଧ୍ୟାପକ ସୌରଭ ପ୍ରକାଶ ସେଠ, ‘ସମାଜ’ର ଶାଖା ପରିଚାଳକ ମଧୁସୂଦନ ଦାସ, ବ୍ୟୁରୋ ଇନଚାର୍ଯ କୁଳମଣି ବାରିକ, ଡେସ୍କ ଇନ୍ଚାର୍ଯ ଶଶିରଞ୍ଜନ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ‘ସମାଜ’ର ୧୦୦ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେବା ସହ ଗୋପବନ୍ଧୁଙ୍କ ଜୀବନରେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗୋପବନ୍ଧୁ ଦୁଃଖି ଦରିଦ୍ରଙ୍କର କଥା କହୁଥିଲେ ହେଲେ ସାହିତ୍ୟ ମାଧ୍ୟମରେ ବୋଲି ବକ୍ତାମାନେ କହିଥିଲେ । ସନ୍ଧ୍ୟାରେ ସାଧାରଣ ସଭା, ସମ୍ବର୍ଦ୍ଧନା ପର୍ବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୁରେଶ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ହୁସେନ ରବି ଗାନ୍ଧୀ, ମୁଖ୍ୟବକ୍ତା ଭାବେ ରେଭେନସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଜ୍ଞାନୀ ଦେବାଶିଷ ମିଶ୍ର, ଅତିଥି ଭାବେ କବି ପ୍ରଶାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ଉପରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତିନୋଟି ଜିଲାରେ ବିଭିନ୍ନ କ୍ଷେତ୍ରରେ ସ୍ୱନାମ ଧନ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ସରୋଜ ପଟ୍ଟନାୟକ, ସୁବାସିନୀ ଜେନା, ସଞ୍ଜୁଲତା ମହାନ୍ତି, ସଞ୍ଜୟ ଭୋଳ, ସୁଚିତ୍ରା ପାଣିଗ୍ରାହୀ, ସରସ୍ୱତୀ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜେଶ ଗିରି ଧନ୍ୟବାଦ ଦେଇଥିଲେ । ଗାୟକ ପ୍ରଭୁପାଦ, ସଞ୍ଜୁଲତା ମହାନ୍ତି ସଙ୍ଗୀତ ପରିବେଷଣ କରିଥିବା ବେଳେ ଯାତ୍ରା ଖଳନାୟକ ସଞ୍ଜୟ ଭୋଳ ଯାତ୍ରାର ସଂଳାପ କହିଥିଲେ ।