୧୩ ଫୁଟ ଯାଏଁ ଯାଇପାରିବ କରୋନା

ନିକଟରେ ଆମେରିକାର କିଛି ଗବେଷକ ଦାବି କରିଥିଲେ ଯେ କରୋନା ଭାଇରସର ପ୍ରକୃତରେ ବାୟୁରେ ୨୭ ଫୁଟ ଦୂରତା ଯାଏଁ ଗତି କରିପାରେ । ଏହା ପୂର୍ବରୁ କରୋନା ଭାଇରସ ବାୟୁରେ ୬ ଫୁଟ ଯାଏଁ ଗତି କରିପାରେ ବୋଲି କୁହାଯାଉଥିଲା । ଏହା ଆଧାରରେ ସବୁ ଲୋକ ପରସ୍ପରଠାରୁ ୬ ଫୁଟର ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଥିଲା । ହେଲେ ଏବେ ଚୀନର କିଛି ଗବେଷକ ଦାବି କରିଛନ୍ତି ଯେ କରୋନା ଭାଇରସ ବାୟୁରେ ୧୩ ଫୁଟ ଯାଏଁ ଗତି କରିପାରେ । ତେଣୁ ପରସ୍ପର ଭିତରେ ୬ ଫୁଟ ଦୂରତା ବଜାୟ ରଖିବାକୁ ଦିଆଯାଉଥିବା ପରାମର୍ଶ ଯଥାର୍ଥ ନୁହେଁ । ଏହି କାରଣରୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିଜ ଘରେ କ୍ୱାରାଣ୍ଟାଇନରେ ରଖାଯିବା ବି ଭୁଲ ପଦକ୍ଷେପ ବୋଲି ସେମାତେ ମତ ଦେଇଛନ୍ତି । ଏହି ଗବେଷକମାନେ ଚୀନର ହୁସେନସା ହସ୍ପିଟାଲର ଦୁଇଟି ୱାର୍ଡ ଉପରେ ଅଧ୍ୟୟନ କରିଥିଲେ । ଉକ୍ତ ଦୁଇଟି ୱାର୍ଡ ଭିତରୁ ଗୋଟିଏ ଜେନେରାଲ ୱାର୍ଡ ହୋଇଥିବା ବେଳେ ଅନ୍ୟଟି ହେଉଛି ଆଇସିୟୁ । ଦୁଇଟି ଯାକ ୱାର୍ଡରେ ସମୁଦାୟ ୨୪ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ରଖାଯାଇଥିଲା । ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ ଭିତରେ ଗବେଷକମାନେ ଦୁଇଟି ଯାକ ୱାର୍ଡର ଭୂପୃଷ୍ଠରୁ କିଛି ନମୁନା ସଂଗ୍ରହ କରିବା ସହିତ ବାୟୁର କିଛି ନମୁନା ବି ସଂଗ୍ରହ କରିଥିଲେ । ସେଗୁଡ଼ିକର ବିଶ୍ଲେଷଣରୁ ଜଣାପଡ଼ିଛି କି ରୋଗୀର କାଶ କିମ୍ବା ଛିଙ୍କ ଯୋଗେ ବାହାରୁଥିବା ଭୂତାଣୁ ବେଶୀ ସମୟ ବାୟୁରେ ନ ରହି ତଳେ ପଡ଼ିଯାଏ ଏବଂ ତଳେ ପଡ଼ିଥିବା ଯେକୌଣସି ବସ୍ତୁର ପୃଷ୍ଠ ଉପରେ ଅଧିକ ସମୟ ତିଷ୍ଠି ରହେ । ଅନ୍ୟପଟରେ ବାୟୁରେ ଥିବା ଏରୋସଲ ସହ ଯୋଡ଼ି ହୋଇଯାଉଥିବା ଭାରରସ ବହୁ ଦୂରକୁ ଯାଇପାରେ । ଏହା ୧୩ ଫୁଟ ଦୂରକୁ ଯାଇପାରେ । ତେଣୁ ସେଇ ଦୂରତା ଭିତରେ ଥିବା ବ୍ୟକ୍ତି ବି କରୋନା ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହି କାରଣରୁ କରୋନା ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ ନିଜ ଘର ଭିତରେ କ୍ୱାରେଣ୍ଟାଇନରେ ରଖାଗଲେ ତା’ର ପରିବାର ଲୋକ ବି ତା’ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ