ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପ୍ରଥମେ ସମୀକ୍ଷା କରିଥିଲେ ଏବଂ ସେତେବେଳେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ ।
କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ନିୟୋଜିତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଓ ସର୍ବୋପରି ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ଲକଡାଉନ ସମୟରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିହବନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ ଟି ସ୍ଥାନରେ ୬୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଦକ୍ଷିଣ ଓଡ଼ିଶାରେ ଏମକେସିଜି କୋଭିଡ ପରୀକ୍ଷଣ ସୁବିଧା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶକରିଥିଲେ ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ ଅପ୍ରେଲ ୧୬ ତାରିଖ ସୁଦ୍ଧାର ବୁର୍ଲାର ଭିମାସାରରେ କୋଭିଡ ପରୀକ୍ଷା ସୁବିଧା ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଇଜିଏଚ ରାଉରକେଲାରେ କୋଭିଡ ପରୀକ୍ଷଣ ଆରମ୍ଭ କରାଯାଇଥିବା ବିଷୟ ବୈଠକରେ ସୂଚନା ଦିଆଯାଇଥିଲା । କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ନିୟୋଜିତ ପୋଲିସ ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଅନ୍ୟ ସମସ୍ତଙ୍କୁ ଏ ସଂକ୍ରାନ୍ତରେ ସର୍ବୋତ୍ତମ ତାଲିମ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ବିଭିନ୍ନ ସ୍ତରରେ ତାଲିମ ଦିଆଯାଇ ସାରିଛି ।
ଏହି ସମୟରେ ପାରିବାରିକ ହିଂସା ମଧ୍ୟ ଏକ ଚିନ୍ତାର ବିଷୟ । ତେଣୁ ଅଭ୍ୟାସଗତ ଅପରାଧୀ ମାନଙ୍କୁ ଚିହ୍ନଟ କରିବା ଏବଂ ଫୋନ କଲ ଜରିଆରେ ଅଭିଯୋଗକାରୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ ।


