ପୂର୍ଣ୍ଣ ହତ୍ୟାକାଣ୍ଡ ଘଟଣା : ୩ ମାସପରେ ପୋଲିସ ଜାଲରେ ଅଭିଯୁକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ତାବରଡା ଗ୍ରାମରେ ଗତ ୩ ମାସ ତଳେ ହତ୍ୟା ଘଟଣାର ମୁଖ୍ୟ ଆସାମୀ ଗିରଫ ହୋଇଥିବା ସୂଚନା ମିଳିଛି । ଗତ ତିନି ମାସ ପୂର୍ବେ ଆର.ଉଦୟଗିରି ଥାନା ଅଞ୍ଚଳ ତାବରଡା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ସତ୍ୟତା ଉନ୍ମୋଚନ କରିଛି ପୋଲିସ । ପୂର୍ବ ଶତୃତାକୁ କେନ୍ଦ୍ର କରି ଘଟାଯାଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ହତ୍ୟାକାଣ୍ଡର ବିବରଣୀ ପ୍ରଦାନ କରି ଏସଡିପିଓ ଅନୀଲ କୁମାର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ,ଗତ ମାର୍ଚ୍ଚ ୨୨ ତାରିଖରେ ତାବରଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ ଉପର ତାବରଡା ଗ୍ରାମ ରାସ୍ତା ଦେଇ ଆସୁଥିବା ସମୟରେ ସେହି ଗ୍ରାମର ଜେମସ ରଇତ ନାମକ ଜଣେ ଯୁବକ ଜାଣିଶୁଣି ତାଙ୍କୁ ସାଇକେଲରେ ଧକ୍କା ଦେଇଥିଲେ । ପୂର୍ଣ୍ଣ ତଳେ ପଡିଯିବା ପରେ ଜେମସ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ । ଏହାପରେ ଜେମସ ପୂର୍ଣ୍ଣଙ୍କ ଶବକୁ ଏକ ଆତ୍ମହତ୍ୟାର ରୁପ ଦେବାପାଇଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗଛରେ ଶବକୁ ଝୁଲାଇ ଦେଇଥିଲେ । ପୂର୍ଣ୍ଣଙ୍କ ପରିବାରବର୍ଗ ବହୁ ଖୋଜାଖୋଜି କରିବା ପରେ ଘଟଣାର ୨ଦିନ ପରେ ଶବକୁ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରୁ ଓହଳିବା ଅବସ୍ଥାରେ ଉଦ୍ଧାର କରିଥିଲେ । ଏ ନେଇ ପୂର୍ଣ୍ଣଙ୍କ ପୁ୍ଅ ହୃଦୟ ଚନ୍ଦ୍ର ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଆର.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଥାନା ଆଇଆଇସି ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରି ଖୋଳତାଡ କରିବାରୁ ଜେମସ ସହ ପୂର୍ଣ୍ମଚନ୍ଦ୍ରଙ୍କ ଶତୃତା ଥିବା ଜାଣିବାକୁ ପାଇଥିଲେ । ତା’ପରେ ଜେମସକୁ ଧରି ଆଣି ଅଟକ ରଖି ପଚରାଉଚରା କରିବା ପରେ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଥିଲା । ପୂର୍ଣ୍ଣଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଜେମସ ପୋଲିସ ଆଗରେ ସ୍ୱୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ବୋଲି ଏସଡିପିଓ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଜେମସକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।