ଲକଡାଉନ୍ ସତ୍ତ୍ବେ କୁମାରସ୍ବାମୀଙ୍କ ପୁଅ ବାହାଘର
ବେଙ୍ଗାଲୁରୁ: ଦେଶରେ କୋରୋନା ଭୂତାଣୁର ବ୍ୟାପକତା ହ୍ରାସ କରିବା ସକାଶେ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ବଢ଼ାଇଥିଲେ ହେଁ କର୍ଣ୍ଣାଟକରେ ନିୟମିତ ଭାବେ ଏହାର ଉଲ୍ଲଙ୍ଘନ ଚାଲିଛି। ଗୋଟିଏ ପଟେ ଲକଡାଉନ୍ ନିୟମକାନୁନକୁ ପଛରେ ପକାଇ ଗତ ଗୁରୁବାର ଏକ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଭକ୍ତ ରଥଟଣା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ଏସ୍) ନେତା ଏଚଡି କୁମାରସ୍ବାମୀଙ୍କ ପୁଅ ବାହାଘର ସମ୍ପନ୍ନ ହୋଇଛି। ଲକଡାଉନ୍ ସମୟରେ କୌଣସି ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥିଲେ ହେଁ ଏହି ନିର୍ଦେଶନାମାକୁ ବେଖାତିର୍ କରି କିପରି ଭାବେ ଏକ ବାହାଘରର ଆୟୋଜନ ହେଲା, ତାହାକୁ ନେଇ ସବୁଠି ପ୍ରଶ୍ନ ଉଙ୍କିମାରୁଥିବା ବେଳେ ରାଜନୀତି ମଧ୍ୟ ଜୋର୍ ଧରିବା ଆରମ୍ଭ ହୋଇଯାଇଛି। କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀଙ୍କର କଂଗ୍ରେସର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ରେବତୀଙ୍କ ସହ ହୋଇଥିବା ବେଳେ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ପାଖାପାଖି ୨ ଶହ ଗାଡ଼ିକୁ ଅନୁମତି ଦିଆଯାଇଥିଲା ବୋଲି ଜଣେ ବିଜେପି ନେତା ଅଭିଯୋଗ କରିଛନ୍ତି।
କର୍ଣ୍ଣାଟକର ରାମନଗର ଜିଲ୍ଲା ବିଜେପି ସଭାପତି ଏମ. ରୁଦ୍ରେଶ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଲକଡାଉନ୍ ନିୟମକୁ ଉଲ୍ଲଙ୍ଘନ କରି ବେଙ୍ଗାଳୁରୁ ସହରର ଉପକଣ୍ଠସ୍ଥ କୁମାରସ୍ବାମୀଙ୍କ ଫାର୍ମହାଉସରେ ଅନୁଷ୍ଠିତ ବିବାହ କାର୍ଯ୍ୟରେ ଯୋଗଦେବା ସକାଶେ ପ୍ରାୟ ୨ ଶହ ଚାରିଚକିଆକୁ ଅନୁମତି ଦିଆଯାଇଥିଲା। କୋରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଲକଡାଉନ୍ କାରଣରୁ ଗରିବ ଜନସାଧାରଣ ଖାଇବାକୁ ପାଉ ନ ଥିବା ବେଳେ ସେମାନଙ୍କୁ ଖାଇବାକୁ ଦେବା ସକାଶେ ସମାଜସେବୀ ଦୁଇଚକିଆ ଚଳାଇ ଯାଇପାରୁନାହାନ୍ତି। କିନ୍ତୁ ଏକ ବିବାହ କାର୍ଯ୍ୟ ପାଇଁ ନିୟମକାନୁନକୁ ଜଳାଞ୍ଜଳି ଦିଆଯାଉଛି ବୋଲି ରୁଦ୍ରେଶ କହିଛନ୍ତି। ରାମନଗରରେ ଏବେ ବି କୋରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ରହିଥିବାରୁ ଆଗାମୀ ଦିନରେ ଯଦି ଏଠାରେ ଅଧିକରୁ ଅଧିକ କୋରୋନା ବ୍ୟାପେ, ତା’ହେଲେ ଏଥିପାଇଁ କେବଳ ଦେବେଗୌଡ଼ାଙ୍କ ପରିବାରକୁ ଦାୟୀ କରାଯିବ ବୋଲି ରୁଦ୍ରେଶ କହିଛନ୍ତି। ଏହି ବିବାହ କାର୍ଯ୍ୟକ୍ରମ ନେଇ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ବତ୍ ନାରାୟ କହିଛନ୍ତି ଯେ ବିବାହର ଭିଡିଓ ଶୁଟିଂ ପାଇଁ ନିର୍ଦେଶ ଦିଆଯାଇଥିଲା। ଉକ୍ତ ଭିଡିଓ ଫୁଟେଜ୍ ଦେଖି ନିୟମ ଉଲ୍ଲଙ୍ଘନ ହୋଇଥିଲେ, ଦେବେଗୌଡ଼ାଙ୍କ ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଜନତା ଦଳ (ଏସ୍) ମୁଖପାତ୍ର ତନବୀର ଅହମ୍ମଦ ଏପରି ଏକ ମାମଲାରେ ରାଜନୀତି ନ କରି ଉପମୁଖ୍ୟମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ କରିବା କଥା ବୋଲି କହିଛନ୍ତି। ଉଭୟ କୁମାରସ୍ବାମୀ ଓ ଦେବେଗୌଡ଼ା ଦାୟିତ୍ବବାନ ନାଗରିକ ହୋଇଥିବା ବେଳେ ସେମାନେ କେବଳ ଉକ୍ତ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ହିନ୍ଦୁ ରୀତିନୀତି ଅନୁସାରେ ନିର୍ଦ୍ଦିଷ୍ଟ ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବାର ଆବଶ୍ୟକତା ରହିଛି ଓ କୁମାରସ୍ବାମୀଙ୍କ ପୁତ୍ର ବିବାହରେ ତାହା ହିଁ ହୋଇଛି ବୋଲି ଅହମଦ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ସ୍ଥାନୀୟ ପୋଲିସ୍ କଟକଣାକୁ ଦୃଷ୍ଟିରେ ରଖି ବିବାହ କାର୍ଯ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସକାଶେ ନିର୍ଦେଶ ଦିଆଯାଇଥିବା କହିଥିଲା। ତା’ଛଡ଼ା କୁମାରସ୍ବାମୀ ମଧ୍ୟ ତାଙ୍କ ପୁତ୍ର ବିବାହ କାର୍ଯ୍ୟରେ କୌଣସି ପ୍ରକାର ନିୟମର ଉଲ୍ଲଙ୍ଘନ କରାଯାଇନାହିଁ ବୋଲି କହିବା ସହ ଅନେକ ପାରିବାରିକ ଡାକ୍ତରଙ୍କ ସହ ପରାମର୍ଶ କରାଯାଇଥିବା କହିଥିଲେ।


