କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର୍
ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ଦେଶରେ କୋରୋନା ଭୂତାଣୁ ତା’ର କାୟା ବଢ଼ାଇ ଚାଲିଥିବା ବେଳେ ଏହାକୁ ରୋକିବା ସକାଶେ ଲକଡାଉନ୍ ଜାରି ରହିଛି। ଏହି ଭୂତାଣୁର ଚେନ୍ ଭାଙ୍ଗିବା ସକାଶେ ଲକଡାଉନ୍ ଏକମାତ୍ର ବିକଳ୍ପ ହୋଇଥିବାରୁ କେନ୍ଦ୍ର ସରକାର ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ଏହାର ଅବଧିକୁ ବଢ଼ାଇ ଦେଇଛନ୍ତି। ତେବେ ଲକଡାଉନ୍ କାରଣରୁ ଦେଶର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। କାରଣ ଲକଡାଉନ୍ କାରଣରୁ ସବୁକିଛି ବନ୍ଦ ହୋଇଯାଇଛି। ଏହା ଫଳରେ ସାଧାରଣ କର୍ମଚାରୀଠାରୁ ଆରମ୍ଭ କରି ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ପ୍ରଭାବିତ ହେବେ। ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା ପ୍ରକାଶ ପାଉଛି। ଏପରି ସ୍ଥିତିରେ ସୁଧାର ଆଣିବା ସକାଶେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଲକଡାଉନଜନିତ କ୍ଷତି ଭରଣା ଦିଗରେ ଏହି ପରିମାଣ ସହାୟକ ହେବ ବୋଲି ଦାସ ଆଶା କରିଛନ୍ତି। ଶୁକ୍ରବାର ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାସ ଆରବିଆଇର ରିଜର୍ଭ ରେପୋ ରେଟ ୨୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇଥିବା ସୂଚନା ମଧ୍ୟ ଦେଇଛନ୍ତି। ଦାସଙ୍କ କହିବାନୁସାରେ, ଲିକ୍ୟୁଡିଟି ଆଡଜଷ୍ଟମେଣ୍ଟ୍ ଫାସିଲିଟି (ଏଲଏଏଫ୍) ଅଧୀନରେ ରିଭର୍ସ ରେପୋ ରେଟ (ଆରଆରଆର)କୁ ୨୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇଥିବାରୁ ଏହା ୪ ପ୍ରତିଶତରୁ ୩.୭୫ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତର ଅଭିବୃଦ୍ଧି ହାର ୧.୯ ପ୍ରତିଶତରେ ସୀମିତ ରହିବ। ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ମଧ୍ୟ ଏହା ପ୍ରକାଶ କରାଯାଇଥିଲା। ଆଇଏମଏଫର ଆକଳନ ଅନୁସାରେ ଏହା ଜି-୨୦ ରାଷ୍ଟ୍ରସମୂହ ସଦସ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଭିବୃଦ୍ଧି ହାର ହେବ। ତେଣୁ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଭାରତର ଅର୍ଥନୈତିକ ସ୍ଥିତି ଉନ୍ନତ ରହିବ ବୋଲି ଦାସ ଆଶା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, କୋଭିଡ୍-୧୯ ଜନିତ ସ୍ଥିତିଜନିତ ଆର୍ଥିକ ଦୁଃସ୍ଥିତିରୁ ଭାରତ ଧୀରେ ଧୀରେ ବାହାରକୁ ଆସିବ। ତେଣୁ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୪ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଗତ ମାର୍ଚ୍ଚ ୨୭ ତାରିଖଠାରୁ କ୍ଷୁଦ୍ର ଅର୍ଥନୀତି ଓ ଆର୍ଥିକ ସ୍ଥିତି ଯଦିଓ ନିମ୍ନମୁଖୀ ହୋଇଛି, ତଥାପି କେତେକ କ୍ଷେତ୍ରରେ ଏହା ଆଶାର ଆଲୋକ ଦେଖାଇଛି ବୋଲି ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ କୋରୋନାଭୂତାଣୁ ଜନିତ ଆର୍ଥିକ ଦୁଃସ୍ଥିତିର ମୁକାବିଲା କରିବା ସକାଶେ ବ୍ୟାଙ୍କମାନଙ୍କ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଲୋନରେ ୯୦ଦିନିଆ ଏନପିଏ ନିୟମ ଲାଗୁ ହେବ ନାହିଁ। ସେହିପରି ନାବାର୍ଡ, ସିଡବୀ ଓ ନ୍ୟାସନାଲ୍ ହାଉସିଂ ବ୍ୟାଙ୍କଗୁଡ଼ିକ ସେମାନଙ୍କ କ୍ରେଡିଟ୍ ଆବଶ୍ୟକତା କ୍ଷେତ୍ରରେ ଘୋଷଣା ହୋଇଥିବା ୫୦ ହଜାର କୋଟି ଟଙ୍କା ପ୍ୟାକେଜର ଉପଯୋଗ କରିପାରିବେ। ସେହିପରି ବ୍ୟାଙ୍କଗୁଡ଼ିକର ଏସିଆର୍ ଆବଶ୍ୟକତା ୮୦ ପ୍ରତିଶତକୁ ଖସିଆସିଥିବା ବେଳେ ଆସନ୍ତା ଆର୍ଥିକ ବର୍ଷର ଏପ୍ରିଲ୍ ସୁଦ୍ଧା ପର୍ଯ୍ୟାୟ କ୍ରମେ ଏହା ପୂର୍ବାବସ୍ଥାକୁ ଫେରିଆସିବ ବୋଲି ଆରବିଆଇ ଗଭର୍ଣ୍ଣର ଆଶା ପ୍ରକାଶ କରିଛନ୍ତି। ସେହିପରି ଏନବିଏଫସି ପକ୍ଷରୁ ରିଅଲ୍ ଇଷ୍ଟେଟ୍ କମ୍ପାନୀମାନଙ୍କୁ ଦିଆଯାଇଥିବା ଲୋନ୍ କ୍ଷେତ୍ରରେ କମର୍ସିଆଲ୍ ବ୍ୟାଙ୍କ୍ ପରି ଫାଇଦା ଉପଲବ୍ଧ ହୋଇପାରିବ। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ୟାଙ୍କଗୁଡ଼ିକୁ କୌଣସି ପ୍ରକାର ଡିଭିଡେଣ୍ଡ୍ ପ୍ରଦାନ କରିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ଆରବିଆଇ ଗଭର୍ଣ୍ଣର ଦାସ କହିଛନ୍ତି।


