ଆସନ୍ତା ୧୦ ଦିନ କୋରୋନା ମୁକାବିଲା ଲାଗି ବେଶ୍‌ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ମହାମାରୀ କୋରୋନା କବଳରେ ଏବେ ସମଗ୍ର ବିଶ୍ବ। ଓଡ଼ିଶାରେ ମଧ୍ୟ କୋରୋନା ତା’ର ପାଦ ଥାପି ସାରିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସଂକ୍ରମଣ ହାର କମ୍‌ ରହିଛି। ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ତଥାପି ଆସନ୍ତା ୧୦ ଦିନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର। ସେଥିପାଇଁ ଆମକୁ ସାମାଜିକ ଦୂରତ୍ବକୁ ବଜାୟ ରଖିବାକୁ ପଡ଼ିବ। ବାହାରେ ନୁହେଁ, ଘରେ ମଧ୍ୟ ସାମାଜିକ ଦୂରତ୍ବ ରକ୍ଷା କରିବାକୁ କହିଛନ୍ତି ମହାପାତ୍ର। ସୁରେଶ ମହାପାତ୍ର କହିଛନ୍ତି, କୋରୋନା ସ୍ଥିତିକୁ ଦେଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାକୁ ଲୋକେ ମାନିଥିବାରୁ ଏବେ ଓଡ଼ିଶାରେ କୋରୋନା ଆୟତ୍ତରେ ରହିଛି। ଆଗାମୀ ଦିନରେ ଲୋକମାନେ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ଅନୁରୋଧ କରିଛନ୍ତି। କାରଣ ଆଗାମୀ ୮ରୁ ୧୦ ଦିନ ଓଡ଼ିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏବେ ରାଜ୍ୟରେ କୋରୋନା ଟେଷ୍ଟ୍‌ ସଂଖ୍ୟା ବଢ଼ିଛି। ପ୍ରତିଦିନ ୧୨୦୦ରୁ ୧୩୦୦ ଟେଷ୍ଟ୍‌ କରାଯାଉଛି। ଭବିଷ୍ୟତରେ ଏହାକୁ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ରାଜ୍ୟର ସବୁ ଜିଲ୍ଲାରେ ବହୁଳ ପରିମାଣରେ କୋରୋନା ଟେଷ୍ଟ କରାଯିବ। ବିଭିନ୍ନ ବସ୍ତିରେ ବାସ କରୁଥିବା ଲୋକ, ଡାକ୍ତର, ନର୍ସ, ଅନ୍ୟ ମେଡିକାଲ୍‌ କର୍ମଚାରୀ ଓ ଦୋକାନରେ କାମ କରୁଥିବା ଲୋକଙ୍କର କୋରୋନା ଟେଷ୍ଟ ପ୍ରଥମେ କରାଯିବ। ପରବର୍ତ୍ତୀ ସମୟରେ କୋରୋନା ଲକ୍ଷଣ ନ ଥିବା ଲୋକଙ୍କର ଟେଷ୍ଟ କରାଯିବ। ଯାହାଦ୍ୱାରା କୋରୋନା ଚିହ୍ନଟ ହୋଇପାରିବେ। ତେବେ କୋରୋନାର ଭୟାବହତାକୁ ଦେଖି ଲୋକମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ। କେବଳ ବାହାରେ ନୁହେଁ, ଘର ଭିତରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରନ୍ତୁ। ବୟସ୍କ ଓ ଛୋଟ ପିଲାଙ୍କୁ ନିଜଠାରୁ ଦୂରରେ ରଖନ୍ତୁ ବୋଲି ମହାପାତ୍ର କହିଛନ୍ତି। କୋରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ତଥା ଜିଲ୍ଲା ସ୍ତରରେ ୩୫ଟି କୋଭିଡ୍‌ ଡାକ୍ତରଖାନା ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନସୁଦ୍ଧା ସେଥିରୁ ୨୪ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୧ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୧ ଜିଲ୍ଲାରେ ନିର୍ମିତ ହୋଇଥିବା କାର୍ଯ୍ୟକ୍ଷମ ହସ୍ପିଟାଲ୍‌ରେ ୩୯୫୧ଟି ଶଯ୍ୟା ପ୍ରସ୍ତୁତ ରହିଛି। ସେଥିରେ ୨୯୩ଟି ଆଇସିୟୁ ବେଡ୍‌ ରହିଛି। ସେହିଭଳି ୧୧ଟି ଜିଲ୍ଲାରେ ୧୧ଟି ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ଏହି ହସ୍ପିଟାଲଗୁଡ଼ିକରେ ୧୮୭୦ ଶଯ୍ୟା ରହିବ। ସେଥିରୁ ୭୩ଟି ଆଇସିୟୁ ବେଡ୍‌ ରହିବ। ଏହାଦ୍ୱାରା ପ୍ରତି ଜିଲ୍ଲାରେ ରୋଗୀ ଚିହ୍ନଟ ହେବା ପରେ ଉକ୍ତ ଜିଲ୍ଲାରେ ହିଁ ତାଙ୍କର ଚିକିତ୍ସା କରାଯିବ। ୩/୪ ଭିତରେ ଅବଶିଷ୍ଟ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ। ତେବେ ଏଥିପାଇଁ ସରକାରୀ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କୋଭିଡ୍‌-୧୯ ଡାକ୍ତରଖାନା ନିର୍ମାଣ କରାଯାଉଛି। ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, କଟକ, ଡୁବୁରୀ, କନ୍ଧମାଳ, ଯୋଡ଼ା, ଭୁବନେଶ୍ୱର, ପୁରୀ, ରାଉରକେଲା, ଦେଓଗଡ଼, ଗଜପତି, ଗଞ୍ଜାମ, କୋରାପୁଟର ଜୟପୁର, ମାଲାକାନଗିରି, ରାୟଗଡ଼ା କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ସୁବର୍ଣ୍ଣପୁର, ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଡାକ୍ତରଖାନା ନିର୍ମାଣକାର୍ଯ୍ୟ ଶେଷ ହେବା ସହ ସ୍ବାସ୍ଥ୍ୟ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, କେନ୍ଦୁଝର, ତାଳଚେର, ପାରାଦୀପ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, ବରଗଡ଼, ଅନୁଗୁଳ ଆଦି ୧୧ଟି ସ୍ଥାନରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣାଧିନ ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରେ ସେଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ