ରାଜୁଙ୍କ ନିଆରା ଚିତ୍ର
ରାଜୁ ଜଣେ ବାସହୀନ ବ୍ୟକ୍ତି । ତାଙ୍କର ପ୍ରକୃତ ପରିଚୟ, ଘରର ଠିକଣା କାହାକୁ ବି ଜଣାନାହିଁ । ପୁରୁଣା ମଇଳା ପୋଷାକ ସାଙ୍ଗକୁ ଅମାନିଆ ଭାବେ ବଢ଼ିଯାଇଥିବା ତାଙ୍କର ନିଶ ଦାଢ଼ି ଜଣାଇଦିଏ ତାଙ୍କ ଦାରିଦ୍ର୍ୟର କଥା । ହେଲେ ପ୍ରତିଭା ତାଙ୍କର ଅନନ୍ୟ । ଯାହା ଏବେ ତାଙ୍କୁ ଦେଇଛି ପରିଚୟ । କେରଳ, କଲମରେ ଏବେ ସେ ବହୁ ପରିଚିତ ମଣିଷଟିଏ । କାରଣ ଦୀର୍ଘ ଆଠ ବର୍ଷ ହେବ ସେ ନିଜ କଳା ଯାଦୁକରୀରେ ସମସ୍ତଙ୍କ ମନ ଜିଣି ନେଇଛନ୍ତି । ସହରର ଗଳିକନ୍ଦି ଯେଉଁଠି ବି ଏକ ସଫା କାନ୍ଥ ଦେଖନ୍ତି ତାକୁ ସେ କାନ୍ଭାସ୍ କରିଦିଅନ୍ତି । ଆଉ ରଙ୍ଗ ଭାବେ ସେ ପତ୍ର, କାଦୁଅ, କୋଇଲା ସହ ଅନ୍ୟାନ୍ୟ ପ୍ରାକୃତିକ ଜିନିଷକୁ ବ୍ୟବହାର କରନ୍ତି । ଯେବେ ସେ ଚିତ୍ର କରିବା ଆରମ୍ଭ କରି ଦିଅନ୍ତି ଧୀରେ ଧୀରେ ତାଙ୍କ ଚାରିପଟେ ଗହଳି ବଢ଼ିବାକୁ ଲାଗେ । ଆଉ ସମସ୍ତେ ତାଙ୍କ ହାତର ଯାଦୁକରୀକୁ ଉପଭୋଗ କରନ୍ତି । ସବୁଜ ରଙ୍ଗ ପାଇଁ ସେ ପତ୍ର, କଳା ଓ ବାଦାମୀ ରଙ୍ଗ ପାଇଁ କାଦୁଅ ଓ ମଇଳା ବ୍ୟବହାର କରନ୍ତି । ଅନେକେ କହନ୍ତି ଏହି କଳାକାର ଜଣକ ମାନସିକ ଭାବେ ଅସୁସ୍ଥ । ବୋଧହୁଏ ସେ ଜଣେ ତାଲିମପ୍ରାପ୍ତ ଚିତ୍ରକର । କିନ୍ତୁ ମାନସିକ ବିକୃତି ହେତୁ ଘର ଛାଡ଼ି ଚାଲିଆସିଛନ୍ତି ।


