ଅମାନିଆ ବାଇକ ଚାଳକ ଦୁଇରୁ ତିନିଜଣକୁ ବସାଇ ଘୁରି ବୁଲୁଛନ୍ତି ଗାଁଠାରୁ ହାଟବଜାର
ନାଉଗାଁ (ଓ୍ବାଇଏନ୍ଏସ୍) :କରୋନା ସଂକ୍ରମଣ ଜନିତ ରୋଗକୁ ନେଇ ସାମାଜିକ ଦୁରତ୍ୱକୁ ପ୍ରଥମେ ଗୁରୁତ୍ୱ ଦିଆଯାଇଛି । ସାମାଜିକ ଦୁରତ୍ୱ ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ନିୟମ ଉଲଘଂନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । କିନ୍ତୁ ଏହି ନିୟମକୁ ଦୁଇ ଚକିଆ ଯାନ ଚାଳକ ମାନୁ ନଥିବା ଦେଖା ଦେଇଛି । ବିନା କୌଣସି କାର୍ଯ୍ୟରେ ଦୁଇରୁ ତିନି ଜଣ ବ୍ୟକ୍ତି ବାଇକ୍ରେ ବସି ହାଟ ବଜାର ଠାରୁ ଗାଁ ଛକ ମୁଣ୍ଡରେ ଆଡ୍ଡା ଜମାଉଛନ୍ତି । ସରକାରଙ୍କ ଘୋଷଣା ଅନୁଯାଇ ଜରୁରୀ କାର୍ଯ୍ୟ ବ୍ୟତିତ ଅନାବଶ୍ୟକ କାର୍ଯ୍ୟରେ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଯଦି ଦୁର ସ୍ଥାନକୁ ଯିବାର ଅଛି ବାଇକି ମାଧ୍ୟମରେ ଜଣେ ବ୍ୟକ୍ତି ହିଁ ଯିବା ଆସିବାର ନିୟମ ରହିଛି । କିନ୍ତୁ ଏହି ନିୟମକୁ ଖୋଲା ଖୋଲି ଭାବେ ନାଉଗାଁ ବ୍ଲକରେ ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳୁଛି । ଏହି ବ୍ଲକର ନାଉଗାଁ ବଜାର, ଗଂଗଦାହାଟ, ଅଲଣାହାଟ, କଂଟୁଣିଆ ହାଟ, ମୁଣ୍ଡାଳୋ ଆଦି ବଜାରରେ ବିନା କୌଣସି କାର୍ଯ୍ୟରେ ଗୋଟିଏ ଗାଡିରେ ଦୁଇ ରୁ ତିନି ଜଣ ବ୍ୟକ୍ତି ଅନାବଶ୍ୟକ ଭାବେ ଗାଁ ଓ ହାଟ ବଜାରରେ ଘୁରି ବୁଲୁଛନ୍ତି । ବିଶେଷକରି ଯୁବ ସମାଜ ଏହି ନିୟମକୁ ଖୋଲା ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳୁଛି । ଏହା ସହିତ ଅଧିକାଂଶ ବାଇକ ଚାଳକମାନେ ମୁହଁରେ ମାସ୍କ ମଧ୍ୟ ପିନ୍ଧୁ ନଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।