ଓସାକ୍ସ ପକ୍ଷରୁ ଏଚଆଈଭି ରୋଗୀଙ୍କୁ ଘରେ ଘରେ ଔଷଧ ବଣ୍ଟନ
ଗଞ୍ଜାମ,(ଓ୍ବାଇଏନ୍ଏସ୍):ସାରା ବିଶ୍ୱରେ ମାରାତ୍ମକ କରୋନା ଭୁତାଣୁ ଭୟଙ୍କର ରୂପ ଧାରଣ କରି ଦୃତ ଗତିରେ ସଂକ୍ରମଣ କରି ଚାଲିଛି। ଏହି ମହାମାରୀ ଭୁତାଣୁ କବଳରୁ ରକ୍ଷା ପାଈଁ ସାରା ବିଶ୍ଵ ଆଜି ଚିନ୍ତାରେ। ସଂକ୍ରମଣକୁ ରୋକିବା ପାଈଁ ଦେଶରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି।ଏକ ମାସରୁ ଉର୍ଦ୍ଧ ଦିନ ଧରି ସାରା ଭାରତ ତାଲାବନ୍ଧ ଅବସ୍ଥାରେ ଅଛି। ତାଲାବନ୍ଧ ଦ୍ୱାରା ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହେଇପଡ଼ିଛି। ଫଳରେ ନିୟମିତ ଔଷଧ ସେବନ କରୁଥିବା ବହୁ ରୋଗୀ ବିଭିନ୍ନ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏହିଭଳି ଘଡ଼ୀସନ୍ଧି ମୁହୁର୍ତ୍ତ ରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗେଇଦେବା ପାଈଁ ସରକାର ଓ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏଚ.ଆଇ.ଭି ଭୁତାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ନିୟମିତ ଔଷଧ ସେବନର ଆବଶ୍ୟକତା ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ଫଳରେ ରୋଗୀ ଆଉ ଔଷଧ ଆଣି ନପାରି ଏକ ପ୍ରକାର ଚିନ୍ତାରେ ଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ପକ୍ଷରୁ ରୋଗୀଙ୍କ ଘରୁକୁ ଯାଇ ଔଷଧ ପ୍ରଦାନ କରିବା ପାଈଁ ନିଷ୍ପତି ହୋଇଥିଲା। ନିର୍ଦ୍ଧେଷ କ୍ରମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ସମନ୍ୱିତ ପରାମର୍ଶ ଓ ଚିକିତ୍ସା କେନ୍ଦ୍ରର ପରାମର୍ଶ ଦାତା ଡ଼ଃ ସନ୍ତୋଷ କୁମାର ରାଜୁ ଓ ଲାବ୍ ଟେକ୍ନିସିଆନ୍ ଶ୍ରୀ ପଦ୍ମାନନ୍ଦ ଗନ୍ତାୟତ ପ୍ରଚଣ୍ଡ ଖରାରେ କରୋନା କୁ ଖାତିର୍ ନକରି ଏକ ସପ୍ତାହରୁ ଅଧିକ ଦିନ ଧରି ଗଞ୍ଜାମ ଓ ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ବୁଲି ରୋଗୀଙ୍କ ଘରେ ପହଞ୍ଚି ଔଷଧ ଯୋଗେଇଆସୁଛନ୍ତି।ଏହି ଭଳି କାର୍ଯ୍ୟ ପାଈଁ ରୋଗୀଙ୍କ ସମେତ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।