ସାଇବର କ୍ରାଇମ ଓ ନିଶାମୁକ୍ତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଦିଗପହଣ୍ଡି,୨୯|୮(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିପାରିବା ଏବଂ ନିଶାମୁକ୍ତ ଓଡ଼ିଶା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ  ଅଶ୍ବିନୀ କୁମାର ରଥ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପାଟପୁର ଥାନା ଆଇଆଇସି  ଦୀପ୍ତି ରଞ୍ଜନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ସଭା ପରିଚାଳନା ଓ ସଂଯୋଜନା କରିଥିଲେ।  ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ ହେବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନଷ୍ଟ ହୋଇଯାଉଥିବା ନେଇ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନିଶାଦ୍ରବ୍ୟ ସେବନର କୁପରିଣାମ ଏବଂ ଏନ୍‌ଡିପିଏସ୍ ଆକ୍ଟ ଭଳି ବିଭିନ୍ନ ନିଶା ବିରୋଧୀ ଆଇନରେ ରହିଥିବା ପ୍ରାବଧାନ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ  ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ଶକ୍ତିଶ୍ରୀ ସଂଯୋଜିକା ତଥା ଅଧ୍ୟାପିକା ଡ. ଓଁକାରଶ୍ରୀ ପଣ୍ଡା ଏବଂ ଅଧ୍ୟାପିକା ମେଡଲିନ୍ କୁଜୁର ଯୋଗଦେଇ ସାଇବର ସୁରକ୍ଷା ଓ ନିଶାମୁକ୍ତ ସମାଜ ଗଠନରେ ଛାତ୍ର ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କଲେଜ ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ ଛାତ୍ରୀଛାତ୍ର ମାନଙ୍କୁ ଡିଜିଟାଲ ଦୁନିଆରେ ସତର୍କ ରହିବା ସହିତ ନିଶାମୁକ୍ତ, ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ।ସଭାର ସଂଯୋଜକ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ, ମଦ୍ୟପାନ ଓ ଅନ୍ୟାନ୍ୟ କ୍ଷତିକାରକ ଅଭ୍ୟାସଠାରୁ ଦୂରେଇ ରହିବାକୁ କହିଥିଲେ। ଯୁବାବସ୍ଥା ହେଉଛି ଜୀବନ ଗଠନର ସବୁଠାରୁ ମୂଲ୍ୟବାନ ସମୟ। କ୍ଷଣିକ ଆନନ୍ଦ, ସାଙ୍ଗସାଥୀଙ୍କ ଚାପ କିମ୍ବା ଉତ୍ସୁକତାର ବଶବର୍ତ୍ତୀ ହୋଇ ନିଶା ସେବନ କଲେ ତାହା ଧୀରେ ଧୀରେ ଅଭ୍ୟାସ ଓ ନିଶାରେ ପରିଣତ ହୋଇ ବ୍ୟକ୍ତିର ସ୍ୱାସ୍ଥ୍ୟ, ଶିକ୍ଷା, ଚରିତ୍ର ଓ ଭବିଷ୍ୟତକୁ ନଷ୍ଟ କରିଦିଏ। ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ତାଙ୍କ ପରିବାର ଓ ସମଗ୍ର ସମାଜକୁ ମଧ୍ୟ ପ୍ରଭାବିତ କରିଥାଏ। ଛାତ୍ରୀଛାତ୍ରମାନେ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରି ଖେଳକୁଦ, ଯୋଗ, ସୃଜନଶୀଳ କାର୍ଯ୍ୟକଳାପ, ସାମାଜିକ ସେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ଯୁବପିଢ଼ି ହିଁ ସୁସ୍ଥ ପରିବାର, ସଚେତନ ସମାଜ ଏବଂ ଏକ ସଶକ୍ତ ରାଷ୍ଟ୍ର ଗଠନର ମୂଳ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ। ଶେଷରେ କଲେଜର ଏନ୍‌ଏସ୍‌ଏସ୍‌ ଅଧିକାରୀ ଅଧ୍ୟାପକ ସଂଜୟ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରିଚାଳନାରେ  ରାଜା ସିଂ ଓ  ବଡୁ ରେଡ୍ଡୀ ସହଯୋଗ କରିଥିଲେ। ସଭାରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ ବୃନ୍ଦ, ବହୁ ସଂଖ୍ୟକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ