ପଥର ତଳେ ଚାପି ହୋଇ ନାବାଳକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରୁମ ପାହାଡ଼ ରେ ଶନିବାର ସକାଳ ପ୍ରାୟ ୭ ଟାରେ ମୋରୁମ ଖୋଳୁଥିବା ବେଳେ ପଥର ତଳେ ଚାପି ହୋଇ ଜଣେ ନାବାଳକ ମୃତ୍ୟୁ ବରଣ କରିଛି। ସେହିପରି ସେଠାରେ ମୋରୁମ ଖୋଳୁଥିବା ଅନ୍ୟଜଣେ ନାବାଳକ ଗୁରୁତର ଆହତ ହୋଇଛି। ମୃତକ ଜଣକ ହେଲେ ଉସ୍ତପଲ୍ଲୀ ଗ୍ରାମର ପଞ୍ଚାନନ ମଲ୍ଲିକ ଙ୍କ ପୁଅ ବିନୋଦ ମଲ୍ଲିକ(୧୭) ଏବଂ ଆହାତ ଜଣକ ହେଲେ ମଙ୍ଗଳା ମଲ୍ଲିକ ଙ୍କ ନାବାଳକ ପୁଅ ଗଣେଶ ମଲ୍ଲିକ(୧୫)। ଏ ଦୁହେଁ ସମ୍ପର୍କୀୟ ଭାଇ।ଉଭୟେ ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ କେଶପୁର ଗାଁ ର ଜଣେ ବ୍ୟକ୍ତି ଙ୍କ ଟ୍ରାକ୍ଟର ଭଡ଼ା ରେ ନେଇଥିଲେ। ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର ଜଣେ ପଞ୍ଚାୟତ ପ୍ରତିନିଧି ଙ୍କ ସ୍ବାମୀ ମୋରୁମ ପାହାଡ଼ ରୁ ବେଆଇନ ଭାବେ ମୋରୁମ ଖୋଳି ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରୁଥିବା କୁହାଯାଉଛି। ତାଙ୍କ ଜାଣତରେ ପାହାଡ ପାଦ ଦେଶରେ ମୋରୁମ ଖୋଳୁ ଥିବା ବେଳେ ଅସାବଧାନତା କାରଣରୁ ପାହାଡ଼ର ଉପରମୁଣ୍ଡରେ ଥିବା ଦୁଇଟି ବୃହତ ପଥର ଖଣ୍ଡ ଆକସ୍ମିକ ଭାବେ ଖସିଆସି ଉଭୟ ବିନୋଦ ଓ ଗଣେଶ ଙ୍କ ଉପରେ ପଡ଼ିଯାଇଥିଲା। ଗୋଟିଏ ପଥର ଖଣ୍ଡ ବିନୋଦ ଙ୍କ ମୁଣ୍ଡ ଉପରେ ଛେଚି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ପଥର ତଳେ ଗଣେଶ ଚାପି ହୋଇ ରହିଯାଇଥିଲେ।ପରେ କିଛି ବ୍ୟକ୍ତି ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ବିନୋଦ ଙ୍କୁ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗଣେଶ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପାଟପୁର ଥାନା ଏଏସଆଇ ସୁଧିର କୁମାର ନାୟକ, ପୋଡ଼ାମାରି ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଭାତ କୁମାର ବାଲିକାନା ସଦଳବଳେ ଘଟଣାସ୍ଥଳ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ।ସେହିପରି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ସମୁଦାୟ ଘଟଣାର ତଦନ୍ତ କରିଥିବା ପୁଲିସ ଅଧିକାରୀ ଏଏସଆଇ ସୁଧିର କୁମାର ନାୟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ବିନୋଦଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।


