ଛତ୍ରପୁର ବ୍ଲକର ସମସ୍ତ ପଂଚାୟତ ବୁଲି ଭିତ୍ତିଭୂମି ପରଖିଲେ ଜିଲ୍ଲାପାଳ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଲକ୍ ଡ଼ାଉନ ପରେ ରାଜ୍ୟ ବାହାରୁ ଗଂଜାମ ଜିଲ୍ଲାର ବିଭିନ୍ନ ଗ୍ରାମକୁ ଫେରିବାକୁ ଥିବା ଲୋକେ କିପରି ସୁରକ୍ଷିତ ରହିବେ ଏବଂ ତାହାର ବିଭିନ୍ନ କାର୍ଯ୍ୟ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ବାହାର ରାଜ୍ୟରୁ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ୱ ଜିଲ୍ଲାକୁ ଫେରିବା ନିମନ୍ତେ ଆକଳନ ରହିଛି । ଏନେଇ ଶୁକ୍ରବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ବ୍ୟକ୍ତିଗତ ଭାବେ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଳକ୍ ର ୧୮ଟି ପଂଚାୟତରେ ଥିବା ସମସ୍ତ କ୍ୱାରେନଟାଇନ୍ ଗୃହକୁ ପରିଦର୍ଶନ କରିବା ସହ ପଂଚାୟତର କେତେ ଲୋକ ରାଜ୍ୟ ବାହାରୁ ଫେରିବେ ସେମାନଙ୍କ କ୍ୱାରେନଟାଇନ୍ ପାଇଁ କେଉଁ ସ୍ଥାନ ଚିହ୍ନଟ କରାଯାଇଛି, ଖାଇବା ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ସୁବିଧା ହୋଇଛି କି ନାହିଁ ତାହାର ଜିଲ୍ଲାପାଳ ଗ୍ରାଉଣ୍ଡ୍ ଜିରୋରୁ ଦେଖିଥିଲେ । ଏହା ସହିତ ଲୋକମାନେ କିପରି ପଂଚାୟତକୁ ଫେରିଲେ ସୁରକ୍ଷିତ ମନେ କରି ରହିପାରିବେ ସେଥି ନିମନ୍ତେ ପଂଚାୟତ ପକ୍ଷରୁ କଣ କଣ କାର୍ଯ୍ୟକ୍ରମ କରାଯାଉଛି ଓ ଏହି କାର୍ଯ୍ୟ କେତେ ଦିନ ଭିତରେ ଶେଷ ହେବ ସେଥି ନିମନ୍ତେ ସମସ୍ତ ସରପଂଚ, କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ପଂଚାୟତର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ । ଖାସ୍ କରି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ପରିଦର୍ଶନ କରିବା ସହ ସମଦୂରତା, ଗାଧୋଇବା ଓ ଟଇଲେଟ୍ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରୀ କରିବା ନିମନ୍ତେ ସରପଂଚ ମାନଙ୍କୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳଙ୍କ ପରାମର୍ଶକୁ ସରପଂଚ ମାନେ ସୁଚାରୁ ରୂପେ ତୁଲାଉଥିବା ନଜରକୁ ଆସିଛି । ଏହି ପରିଦର୍ଶନରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡା, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ ଅବିନାଶ ଶତପଥୀ, କଣମଣା ସରପଂଚ ଏସ. ଚକ୍ରପାଣି ରେଡ୍ଡି, କାଳିପଲ୍ଲୀ ସରପଂଚ ଶ୍ରୀରାମ ଚନ୍ଦ୍ର ବେହେରା, ଆର୍ଜିପଲ୍ଲୀ ସରପଂଚ ଏମ୍‌. ଲକ୍ଷ୍ମୀ, ବିପିଳିଙ୍ଗି ସରପଂଚ ଟି. ନରସିଂହ ରେଡ୍ଡି, ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ଚମାଖଣ୍ଡି ସୁସ୍ମିତା ପ୍ରଧାନଙ୍କ ସମେତ ବହୁ ବ୍ଲକ୍ କର୍ମଚାରୀ ଓ ପଂଚାୟତ ପ୍ରତିନିଧି ମାନେ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ