ମହାରାଷ୍ଟ୍ରର ୮୦% ପଜିଟିଭଙ୍କ ଠାରେ ଲକ୍ଷଣ ନାହିଁ
ନୂଆଦିଲ୍ଲୀ: ମହାରାଷ୍ଟ୍ର ଦେଶର କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଠାକରେ କହିଛନ୍ତି ଯେ ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦ ଜଣଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ । କରୋନା ସଂକ୍ରମଣର ଲକ୍ଷଣ ନଥାଇ ମଧ୍ୟ ୮୦ ପ୍ରତିଶତ ରୋଗୀଙ୍କୁ ସ୍ୱାବ ନମୁନା ପଜିଟିଭ ରହିଛି । ସେ କହିଛନ୍ତି ଯେ ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେବ ନିଆଯାଉଛି । ବିଶେଷଜ୍ଞ ଡାକ୍ତରୀଦଳକୁ ନେଇ ସ୍ଥିତିରେ ସମୀକ୍ଷା କରାଯାଉଛି । ଠାକରେ କହିଛନ୍ତି ଯେ ମେ ୩ ତାରିଖ ପରେ ଲକଡାଉନ ବୃଦ୍ଧି ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ରମଜାନ ଅବସରରେ ଲୋକମାନଙ୍କୁ ଘରେ ରହି ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି । ସେହିପରି ଲକଡାଉନ ନିୟମ ପାଳନ କରିଥିବାରୁ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ଦୁଇଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ପୁଲିସ କର୍ମଚାରୀ ସେମାନଙ୍କ ଜୀବନ ଓ ପରିବାରକୁ ପଛରେ ପକାଇ ଆମ ପାଇଁ କାମ କରୁଛନ୍ତି । ମୃତ ପୁଲିସ କର୍ମଚାରୀଙ୍କୁ ସରକାରଙ୍କ ନିୟମ ଅନୁସାରେ ଅନୁକମ୍ପା ରାଶି ସହିତ ସମସ୍ତ ପ୍ରକାର ସହାୟତା ଦିଆଯିବ । କରୋନା ସମୟରେ ରାଜନୀତିରୁ ଦୂରେଇ ରହି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଥିବାରୁ ଉଦ୍ଧବ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅକ୍ଷୟ ତୃତୀୟା ଅବସରରେ ଠାକରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


