ଶପଥ ନେଲେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ
କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟର ୩୧ ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ସ୍ୱତନ୍ତ୍ର ବିମାନରେ ମୁଖ୍ୟ ବିଚାରପତି ଜଷ୍ଟିସ ରଫିକ ଓଡ଼ିଶାରେ ଆସି ପହଁଚିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯିବା ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଏପ୍ରିଲ ୨୩ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ତାଙ୍କ ନାମ ସୁପାରିସ କରିଥିଲା । ଏହା ପରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ମିଳିବା ପରେ ଏ ସମ୍ପର୍କିତ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିଲା ।
ଜଷ୍ଟିସ ରଫିକ ୧୯୬୦, ମେ ୨୫ ରେ ସେ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡ଼ରେ ଜନ୍ମଗ୍ରହଣ କରିଥିଲେ । ୨୦୦୬, ମେ ୧୫ ରେ ସେ ରାଜସ୍ଥାନର ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଜ କାର୍ଯ୍ୟକାଳ ଭିତରେ ସେ ଦୁଇଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୯, ଏପ୍ରିଲ ୭ ରୁ ମେ ୪ ଓ ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ସେ ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୯, ନଭେମ୍ବର ୧୩ ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ ।


