କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଗୀତ ଭାଇରାଲ
ଛତ୍ରପୁର(ଓ୍ବାଇଏନ୍ଏସ୍) : ହେ….ମୋଦିଜୀ ତୁମକୁ ଧନ୍ୟବାଦ….. ହେ ନବୀନ ବାବୁ ତୁମକୁ ଧନ୍ୟବାଦ….ଜିଲ୍ଲାପାଳଙ୍କୁ ଧନ୍ୟବାଦ…. ଡାକ୍ତର ନର୍ସଙ୍କୁ ଧନ୍ୟବାଦ…….. ସାମ୍ଵାଦିକଙ୍କୁ ଧନ୍ୟବାଦ । କରୋନା ଯୁଦ୍ଧର ତୁମେ ଯୋଦ୍ଧା……… ଲଢୁଛ ଆମ ପାଇଁ ଦିନରାତି କରି ଏକା…….. । ଏମିତି ଏକ ସାଙ୍ଗୀତିକ ସ୍ଵରରେ କରୋନା ଯୁଦ୍ଧର ଯୋଦ୍ଧାଙ୍କୁ ସମ୍ଵୋଧିତ କରିବା ସହିତ , ସଚେତନ ବାର୍ତ୍ତା ସମ୍ବଳିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ଛତ୍ରପୁର ବ୍ଳକ କଣମଣା ବିଦ୍ୟାଳୟର ଶିକ୍ଷକ ଅଜିତ୍ ସେଠୀ ଓ ଚିକିଟି ବ୍ଳକ ଧାନ ଘର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ।
ଲକଡଡାଉନ ସମୟରେ ଜନସାଧାରଣ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଥିବା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଡାକ୍ତର, ନର୍ସ, ସ୍ଵାସ୍ଥ୍ୟକର୍ମୀ,ପୋଲିସ, ସଫେଇ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ଵାଦିକ ବନ୍ଧୁମାନେ ନିଜ ନିଜର ଘର ପରିବାର, ପିଲାଛୁଆଙ୍କ କଥା ଭୁଲି କରୋନା ଦମନ ପାଇଁ ଏକ ହୋଇ ଲଢୁଛନ୍ତି । ସେହି ଯୋଦ୍ଧା ମଧ୍ୟରୁ କିଏ କରୋନା ଆକ୍ରମଣରେ ଆକ୍ରମିତ ହେଲାଣି ତ କିଏ କରୋନାରେ ଆକ୍ରମିତ ହୋଇ ଜୀବନ ହାରିଲାଣି । ଗୀତ ମାଧ୍ୟମରେ କରୋନା ଯୋଧାଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂ ସା କରିବା ,ସେମାନଙ୍କୁ ଉତ୍ସାହିତ କରିବା, ସେମାନଙ୍କ ମନୋବଳକୁ ଦୃଢ କରିବା ସହିତ ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ଉଭୟ ଶିକ୍ଷକ । ଗୀତଟିକୁ ରଚନା କରି ସଙ୍ଗୀତରେ ସଜେଇଛନ୍ତି ଅଜିତ୍ ସେଠୀ ଓ ପ୍ରଯୋଜନା କରିଛନ୍ତି ସୁଦୀପ୍ତ କୁମାର ପଟ୍ଟନାୟକ । କବି, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଅଜିତ୍ ସେଠୀ ପୂର୍ବରୁ ‘ନିର୍ଭୟ କଢି’, ‘ସ୍ଵୟଂ ସିଦ୍ଧା’ ଆଦି ଗୀତ ତିଆରି କରି ବେଶ୍ ଲୋକପ୍ରିୟତା ହାସଲ କରିଥିବାବେଳେ ବର୍ତ୍ତମାନ ତାଙ୍କର ଗୀତ ‘ହେ ଠାକୁର ମୋତେ କ୍ଷମାକର’ ପ୍ରାର୍ଥନା ଚାନେଲରେ ଆଦୃତି ଲାଭ କରିଛି । ସେହିଭଳି ସୁଦୀପ୍ତ ପଟ୍ଟନାୟକ ପୂର୍ବରୁ ‘କାଉଁରୀ କନ୍ୟା’ ଚଳଚିତ୍ରରେ ଅଭିନୟ ଓ ‘ଉଦ୍ଧାର କରହେ ସାଇ’ କରୋନା ସଚେତନ ଗୀତଗାଇ ଚର୍ଚ୍ଚିତ ହୋଇଥିଲେ । ଉଭୟ ଶିକ୍ଷକଙ୍କର ଏହି ପ୍ରୟାସକୁ ଗଞ୍ଜାମ ଜିଲ୍ଲାପାଳ ସମେତ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।


