ଦୀପରୁ ବହେ କେଶର ଠୋପା
ଭାରତ ହେଉଛି ମନ୍ଦିରର ଦେଶ । ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ । ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇ ନ ଥାଏ । ମଧ୍ୟପ୍ରଦେଶ ମନାସା ସହରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡଠାରେ ରହିଛି “ଆଈ ଜୀ ମାତା’ଙ୍କ ମନ୍ଦିର । ମନ୍ଦିରରେ ୫୫୦ ବର୍ଷ ଧରି ଏକ ଦୀପ ଜଳୁଛି । ଏହି ଅଖଣ୍ଡ ଦୀପ କେବେ ମଧ୍ୟ ଲିଭି ନାହିଁ ବୋଲି ଅଞ୍ଚଳର ପୁରୁଖା ଲୋକେ କୁହନ୍ତି । ଦୀପରୁ କଳା ପରିବର୍ତ୍ତେ କେଶର ଠୋପା ନିର୍ଗତ ହୋଇଥାଏ । ଏହାକୁ ଶ୍ରଦ୍ଧାଳୁ ମା’ଙ୍କ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । କେଶରକୁ ଆଖିରେ ଲଗାଇଲେ ବିଭିନ୍ନ ଆଖିରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତିଦିନ ମନ୍ଦିରରେ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ ।


