ବଢିପାରେ କ୍ୱାରେଣ୍ଟାଇନ ଅବଧି
ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ୧୪ ଦିନିଆ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଗତ କିଛି ଦିନ ହେଲା ଅଧିକାଂଶ ସୁରଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ପ୍ରବାସୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇ ଯଥେଷ୍ଟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଆସୁଥିଲା । ତେବେ ଏହି ଚର୍ଚ୍ଚା ସତ ହୋଇପାରେ । କାରଣ କ୍ୱାରେଣ୍ଟାଇନ ଅବଧିକୁ ବଢାଇବାକୁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ପରାମର୍ଶ ଆଉ କେହି ନୁହେଁ ଖୋଦ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଦେଇଛନ୍ତି । କ୍ୱାରେଣ୍ଟାଇନ ଅବଧିକୁ ୧୪ରୁ ୨୧ ଦିନକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଶ୍ରୀ ରେଡ୍ଡୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ପରେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ମନା କରାଯାଇଛି । ସହରରେ ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଫେରନ୍ତା ରହିପାରିବେନି ବୋଲି କୁହାଯାଇଛି । ସମସ୍ତ ପ୍ରବାସୀ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଗୁଜୁରାଟ, ମହାରାଷ୍ଟ୍ର, କେରଳ ଫେରନ୍ତା ସରକାରୀ କ୍ୱାରେଣ୍ଟାଇନରେ ରହିବେ । ପୂର୍ବରୁ କେବଳ ଗ୍ରାମାଞ୍ଚଳରେ ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ଥିଲା ।


