ଫନି ବାତ୍ୟା ସହାୟତା ପ୍ରଦାନ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ, (ଓ୍ବାଇଏନ୍ଏସ୍) ; ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ତହସିଲଦାର ଜେ.କଳ୍ପନାଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରକୁ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବଂଶୀଧର ବେହେରା, ଚତୁଭୂଜ ମହାନ୍ତି, ପ୍ରଫୁଲ୍ଲ ପରିଡା ଆଦି ପ୍ରଦାନ କରିଛନ୍ତି । ଦାବିପତ୍ର ମୁତାବକ ଫନି ବାତ୍ୟାକୁ ଦୀର୍ଘ ୧ବର୍ଷ ପୁରି ଯାଇଥିଲେ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏପର୍ଯ୍ୟନ୍ତ ଆର୍ଥୀକ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଯଥା ଶୀଘ୍ର ଫନି ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସେହିପରି ବର୍ତମାନ ଖରିଫ ଚାଷ ଆରମ୍ଭ ହେବାର ସମୟ ଆସୁଥିବାରୁ ଅଚଳ ହୋଇ ପଡିଥିବା ଉଠା ଜଳସେଚନକୁ ସଚଳ କରିବା, ଚାଷୀକୁ ଠିକ ସମୟରେ ଧାନ ବିହନ ଓ ରିହାତି ଦରରେ ସାର, ଔଷଧ ଯୋଗାଇ ଦେବା, କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଇବା ପରେ ଦୁଗଧ ଚାଷୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉତ୍ପାଦିତ କ୍ଷୀର ବିକ୍ରି କରାଯାଇ ପାରୁ ନଥିବା ବେଳେ ଚୋକଡ ମୂଳ୍ୟ ଅହେତୁକ ବୃଦ୍ଧି ଯୋଗୁ ଚାଷୀମାନଙ୍କ ମେରୁଦଣ୍ଡ ଦୋହଲିବାରେ ଲାଗିଛି । ତେଣୁ ଉତ୍ପାଦିତ କ୍ଷୀର ବିକ୍ରିର ସୁବନ୍ଦୋବସ୍ତ କରିବା ପାଇଁ ସଙ୍ଗଠନ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।