ସେବାୟତଙ୍କ ପରିବାରର ହେବ କୋଭିଡ ଟେଷ୍ଟ
ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ ଗତକାରି ଠାରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ କାମ ଆରମ୍ଭ ହୋଇଛି । ଏଥିରେ ନିୟୋଜିତ ସମସ୍ତଙ୍କ ମହାରଣାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗତକାଲି କୁହାଯାଇଥିଲା । ତେବେ ଏବେ ରଥ କାମରେ ନିୟୋଜିତ ସେବାୟତ ପରିବାରଙ୍କ ବି କରୋନା ଟେଷ୍ଟ ହେବ । ଏନେଇ ଆଜି ଶ୍ରୀମନ୍ଦିିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ଏଥିସହ ଏନେଇ ପଦକ୍ଷେପ ନେବାକୁ ପୁରୀ ସିଡିଏମଓଙ୍କୁ କୁହାଯାଇଥିବା ସେ କହିଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ରଥ କାମରେ ନିୟୋଜିତ ସେବାୟତଙ୍କୁ ନିୟମିତ ସଚେତନ କରାଯିବ । ରଥ କାମ ଶେଷ ଯାଏଁ ପ୍ରତ୍ୟହ କରୋନା ସମ୍ପର୍କରେ ସଚେତନ କରାଯିବ । ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସ୍ୱାସ୍ଥ୍ୟଅଧିକାରୀ ସଚେତନ କରିବେ । ପୁରୀ ଏଡିଏମଓଙ୍କ ନେତୃତ୍ୱାଧୀନ ଡାକ୍ତରୀ ଟିମ ସଚେତନ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି । ରଥ ଖଳା, ଭକ୍ତ ନିବାସରେ ସ୍ୱତନ୍ତ୍ର ହେଲଥ ଟିମ ରହିବେ । ମୋବାଇଲ ଟିମ ମଧ୍ୟ ନିୟୋଜିତ ହୋଇ ଆକ୍ଟିଭ ସର୍ଭେଲାନ୍ସ କରିବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ ସରିଥିଲେ ବି କରୋନା କଟକଣା ପାଇଁ ରାଜ୍ୟ ସରକାର ନିର୍ମାଣ କାର୍ୟ୍ୟକୁ ଝୁଲାଇ ରଖିଥିଲେ । ଫଳରେ ଗତ ୧୨ ଦିନ ହେବ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇପାରିନଥିଲା । ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହୋଇପାରିନଥିଲା । କେନ୍ଦ୍ର ସରକାରଙ୍କ ଅନୁମତି ପରେ ଜିଲ୍ଲାପାଳ ବିଶ୍ବକର୍ମା ଓ ଅନ୍ୟ ସେବକଙ୍କ ଜରୁରୀ ବୈଠକ ଡାକି ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ସମସ୍ତ ସେବକ ମାସ୍କ ପିନ୍ଧି କାମ ଆରମ୍ଭ କରିଛନ୍ତି । ସାନିଟାଇଜରର ବ୍ୟବହାର କରାଯାଉଛି । ରଥଖଳାକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯିବା ସହ ଚାରିପାର୍ଶ୍ବରେ ଲୁହାର ବାରିକେଡ୍ ପକାଇ ପ୍ରବେଶ ବନ୍ଦ କରାଯାଇଛି।