ଗାର୍ଡ ୱାଲ ନ ଥିବା ଯୋଗୁଁ ଦୁର୍ଘଟଣା ଜଣକର ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବିପଦ ପୁର୍ଣ୍ଣ ବୁଲାଣିଆ ରାସ୍ତା ଅଞ୍ଚଳରେ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗାର୍ଡ ୱାଲ ନିର୍ମାଣ କରାଯାଇଥାଏ । ହେଲେ ସାଧାରଣଙ୍କ ବାରମ୍ବାର ଦାବୀ ପରେ ସୁଦ୍ଧା ଗାର୍ଡ ୱାଲ ନିର୍ମାଣ କରାଯାଇ ନ ଥିବା ଯୋଗୁଁ ଗତକାଲି ରାତିରେ ଦୁର୍ଘଟଣା ଘଟି ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ପାରଳା ସହର ଉପକଣ୍ଠର ନୁଆ କେରାଣ୍ଡି ଗ୍ରାମଠାରୁ ଡାଳିମ୍ବପୁର ଯିବା ରାସ୍ତାର ମଧ୍ୟ ଭାଗରେ ଏକ ବିପଦ ପୁର୍ଣ୍ଣ ବୁଲାଣିଆ ରାସ୍ତା ରହିଛି । ଏଠାରେ ପୁଣି ମହେନ୍ଦ୍ରତନୟା ନଦୀର କେନାଲ ରହିଛି । ଏହି କେନାଲର ଗଭୀରତା ୨୦ ଫୁଟ ଅଟେ । ବିପଦ ପୁର୍ଣ୍ଣ ବୁଲାଣିଆ ରାସ୍ତାରେ ଏଭଳି ଅତ୍ୟନ୍ତ ଗଭୀର କେନାଲ ରହିବା ସ୍ଥାନରେ ଗାର୍ଡ ୱାଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁ ବର୍ଷ ଧରି ଦାବୀ କରି ଆସିଛନ୍ତି । ତଥାପି ଗାର୍ଡ ୱାଲ ନିର୍ମାଣ ନ ହେବା ଯୋଗୁଁ ଏଠାରେ ବହୁ ଦୁର୍ଘଟଣା ଘଟିବାରେ ଲାଗିଛି । ଗତକାଲି ରାତିରେ ରାଜେଶ କୁମାର ପାଣି (୪୦) ଏହି ରାସ୍ତା ଦେଇ ନିଜ ଗ୍ରାମ ଅମରା ଯାଉଥିବା ବେଳେ ଏହି ବିପଦ ପୁର୍ଣ୍ଣ ବୁଲାଣିଆ ଅଞ୍ଚଳରେ ଭାରସାମ୍ୟ ହରାଇ ଗଭୀର କେନାଲ ମଧ୍ୟକୁ ମୋଟର ସାଇକେଲ ସହ ଓଲଟି ପଡିଥିଲେ । ଏଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପାରଳାଖେମୁଣ୍ଡି ପୋଲିସ ଜାଣିବା ପରେ ଆଜି ଗତକାଲି ରାତ୍ରରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ପଠାଇ ଥିଲେ । ଆଜି ସକାଳେ ଶବ ବ୍ୟବଚ୍ଛେଦ ପରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଶୋକାକୁଳ ପରିବେଶରେ ଅମରା ଗ୍ରାମ ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି । ପୁର୍ବତନ ସରପଞ୍ଚ ସୁନୀଲ କୁମାର ମହାପାତ୍ରଙ୍କ ସମେତ ଏହି ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଦୁଃଖଦ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମାନେ କହିଛନ୍ତି ବାରମ୍ବାର ଦାବୀ ଓ ଅନୁରୋଧ ପରେ ସୁଦ୍ଧା ଏଭଳି ବିପଦ ପୁର୍ଣ୍ଣ ସ୍ଥାନରେ ଗାର୍ଡ ୱାଲ ନିର୍ମାଣ କରାଗଲା ନାହିଁ । ତେଣୁ ଏଭଳି ଦୁଃଖଦ ମୃତ୍ୟୁ ଘଟିଲା । ମୃତ ବ୍ୟକ୍ତିଙ୍କ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏମାନେ ଦାବୀ କରିବା ସହ ତୁରନ୍ତ ଏଠାରେ ଗାର୍ଡୱାଲ ନିର୍ମାଣ କରାଯାଉ ବୋଲି ଅନୁରୋଧ କରାଯାଇଛି ।


