୨୦୧୯ ପାଇଁ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ୫ ବର୍ଷରୁ କମ ବୟସର ୧୭ କୋଟି ଶିଶୁଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ୫ ବର୍ଷରୁ କମ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ-୨୦୧୯ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତାକାଲି ଜାତୀୟ ଟିକାକରଣ ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଦେଶରୁ ପୋଲିଓ ଉନ୍ମୁଳନ ପାଇଁ ଟିକାକରଣ ଅଭିଯାନ ଅନ୍ତର୍ଗତ ୫ ବର୍ଷରୁ କମ ବୟସର ୧୭ କୋଟିରୁ ଅଧିକ ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବ । ଶ୍ରୀ ନଡ୍ଡା ଏହି ଅବସରରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଟିକାକରଣ ଅଭିଯାନର ଉଦ୍ଦେଶ୍ୟ ଶିଶୁମାନଙ୍କୁ ପୂର୍ବାପେକ୍ଷା ୫ରୁ ଅଧିକ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବ । ଏଥିପାଇଁ ନ୍ୟୁମୋକୋକଲ କଞ୍ଜୁଗେଟ, ରୋଟା ଭାଇରସ ଏବଂ ମିଜିଲ୍ସ ରୁବେଲା ଭଳି ନୂଆ ଟିକା ଆରମ୍ଭ କରାଯାଇଛି । ସେ କହିଥିଲେ ଯେ ଶିଶୁମାନଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବା ଲାଗି ସରକାର ଇଞ୍ଜେକସନ ଜରିଆରେ ପୋଲିଓ ଟିକା ଦେବା ଲାଗି ନିଜର ନିୟମିତ ଟିକାକରଣ ଅଭିଯାନରେ ଇନଆକ୍ଟିଭେଟେଡ ପୋଲିଓ ଟିକା ମଧ୍ୟ ସାମିଲ କରିଛନ୍ତି । ଶ୍ରୀ ନଡ୍ଡା କହିଥିଲେ ଯେ ସରକାର ଶିଶୁମାନଙ୍କୁ ଅଧିକରୁ ଅଧିକ ରୋଗରୁ ରକ୍ଷା କରିବା ଲାଗି ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି । ଟିକାକରଣ ଅଭିଯାନ ଅନ୍ତର୍ଗତ ସମସ୍ତ ପ୍ରକାରର ଟିକା ଦେଶର ପ୍ରତ୍ୟେକ କୋଣରେ ଥିବା ଶିଶୁ ନିକଟରେ ପହଁଚାଇବା ସୁନିଶ୍ଚିତ କରିବା ନିମନ୍ତେ ସେ କହିଥିଲେ । ଶ୍ରୀ ନଡ୍ଡା କହିଥିଲେ ଯେ ସାର୍ବଜନୀନ ଟିକାକରଣ ଅଭିଯାନ ସହିତ ଦେଶରେ ମିଶନ ଇନ୍ଦ୍ରଧନୁଶର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ୯୦ ପ୍ରତିଶତରୁ ଅଧିକ ଶିଶୁଙ୍କୁ ଟିକାକରଣ ପରିଧି ମଧ୍ୟକୁ ଅଣାଯିବାର ଲକ୍ଷ୍ୟ ହାସଲ କରାଯାଇପାରିବ । ସେ କହିଥିଲେ ଯେ ମିଶନ ଇନ୍ଦ୍ରଧନୁଶ ଅନ୍ତର୍ଗତ ବର୍ତମାନ ସୁଦ୍ଧା ୩.୩୯ କୋଟି ଶିଶୁ ଏବଂ ୮୭ ଲକ୍ଷ ଗର୍ଭବତୀ ମହିଳାମାନଙ୍କର ଟିକାକରଣ କରାଯାଇସାରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଟିକାକରଣ ଅଭିଯାନ ସୁଦୃଢ଼ ହେବା ଦ୍ୱାରା ଦେଶରେ ଶିଶୁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି । ୨୦୧୪ରେ ଯେଉଁଠି ପ୍ରତି ୧ ହଜାରରେ ୩୯ ଜଣ ଶିଶୁଙ୍କୁ ମୃତୁବରଣ କରୁଥିବା ବେଳେ ୨୦୧୭ରେ ଏହା ହ୍ରାସ ପାଇଁ ୩୨ରେ ପହଁଚିଛି । କେବଳ ପୋଲିଓ କାର୍ଯ୍ୟକ୍ରମ ନୁହେଁ ବରଂ ଟିକାକରଣର ଅନ୍ୟ ପ୍ରୟାସକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ ଏବଂ ରୋଟାରୀ ଇଂଟରନ୍ୟାସନାଲ ଭଳି ସଂଗଠନଗୁଡ଼ିକର ପ୍ରୟାସକୁ ମଧ୍ୟ ଶ୍ରୀ ନଡ୍ଡା ପ୍ରଶଂସା କରିଥିଲେ । ସେ ଦେଶକୁ ପୋଲିଓ ମୁକ୍ତ ରଖିବା ଲାଗି ହଜାର ହଜାର ସ୍ୱେଚ୍ଛାସେବୀ, ଆଗଧାଡ଼ିର କର୍ମୀ ଏବଂ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦନଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଏବଂ ଅଭିଯାନରେ ସହଯୋଗ କରୁଥିବା ବିଭିନ୍ନ ସଂଗଠନର ପ୍ରତିନିଧିମାନେ ସାମିଲ ଥିଲେ ।


