ସଙ୍କଟରେ ମରୈଗାଁର ଝୋଟ ଶିଳ୍ପ, ଲକଡାଉନରେ ହାତବାନ୍ଧି ବସିଛନ୍ତି ଦୁଇଶହ ପରିବାର

ହାଟଡିହି (ଓ୍ବାଇଏନ୍ଏସ୍) : ସମଗ୍ର ଓଡିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ହାଟଡିହି ବ୍ଲକ ମରୈଗାଁର ଝୋଟପଟି । ଏହାଏବେ ଗାଁରେ କୁଟୀରଶିଳ୍ପ ଭାବେ ପରିଗଣିତ ହୋଇଛି । ବାପ ଗୋସ ବାପ ଅମଳରୁ ଏହି ଶିଳ୍ପ ଗାଁରେ ଚାଲିଆସିଛି । ଜଣେ କି ଦୁଇଜଣ ନୁହଁ ଗାଁରେ ଦୁଇଶହରୁ ଉର୍ଦ୍ଧ ପରିବାର ଏହି ଶିଳ୍ପକୁ ଆଦରିନେଇ ଘରେଘରେ ଝୋଟରୁ ତିଆରି ଶୋଇବା ପଟି, ଆସନ, ଖାଇବାପଟି, ଚେୟାର ପଟି ଆଦି ତିଆରି କରିଥାନ୍ତି । ଏଥିପାଇଁ ଗାଁରେ ପୁର୍ବରୁ ଏକ ସମବାୟ ସମିତି ରହିଥିବାବେଳେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରସ୍ତୁତ ଚାଲିଛି । କିନ୍ତୁ କରୋନା ଲକଡାଉନ ଯୋଗୁଁ ଏବେ ହାତବାନ୍ଧି ବସିଛନ୍ତି ଗ୍ରାମର ଦୁଇଶହରୁ ଉର୍ଦ୍ଧ ପରିବାର । ପୁର୍ବରୁ ଗାଁର ଏହି କାରିଗର ମାନେ ଝୋଟ କିଣି ସେଥିରୁ ସୁତୁଲି ପ୍ରସ୍ତୁତ କରି ତାକୁ ରଙ୍ଗ ଦେଇ ସୁନ୍ଦର ସୁନ୍ଦର ପଟି ତିଆରି କରୁଥିବାବେଳେ ଝୋଟରୁ ସୁତୁଲି ତିଆରି କରିବା ଲାଗି ଅଧିକ ସମୟ ଲାଗୁଥିବାରୁ ଏବେ ଭଦ୍ରକ ଓ କଟକରୁ ସୁତୁଲି କିଣିଆଣି ତାକୁ ରଙ୍ଗଦେଇ ଏହି ପଟି ତିଆରି କରୁଛନ୍ତି । ଏହି ପଟିଗୁଡିକ ଦୀର୍ଘଦିନ ଧରି ବ୍ୟବହାର ହୋଇପାରୁଥିବାରୁ ଏହାର ଚାହିଦା ସବୁ ଆଡେ ଅଛି ।  ପଟିକୁ ବେପାରୀମାନେ କିଣିନେଇ ଭଦ୍ରକ, ଭୁବନେଶ୍ୱର, କଟକ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ଯୋଡା, ବଡବିଲ ଆଦି ଅଞ୍ଚଳରେ ବିକ୍ରୀ କରିଥାନ୍ତି । ଏପରିକି ରାଜ୍ୟର ବିଭନ୍ନ ଜିଲ୍ଲାରେ ହେଉଥିବା ମେଳା ମହୋତ୍ସବ ମାନଙ୍କରେ ମଧ୍ୟ ଏମାନେ ତାଙ୍କ ହାତ ତିଆରି ସାମଗ୍ରୀକୁ ବିକ୍ରୀକରି ଭଲ ଦି ପଇସା ପାଇଥାନ୍ତି । ଗୋଟିଏ ଗୋଟିଏ ପଟିକୁ ତିଆରି କରିବାପାଇଁ ଗୋଟିଏ କାରିଗରକୁ ୪/୫ଦିନ ଲାଗୁଥିବାବେଳେ ଏହା ବଜାରରେ ୮୦୦ରୁ ୯୦୦ଟଙ୍କା ଦରରେ ବିକ୍ରୀ ହୋଇଥାଏ । ଫଳରେ ଯେଣତେଣେ ପ୍ରକାରେ ଏହି ଶିଳ୍ପକୁ ଆଦରିନେଇ ଗ୍ରାମର ଦୁଇଶହରୁ ଉର୍ଦ୍ଧ ପରିବାର ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଦେଢ଼ମାସ ହେଲା କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବାରୁ ଏହି କାରିଗର ମାନେ ଆଉ ସେମାନଙ୍କ ପ୍ରସ୍ତୁତ ଝୋଟ ପଟି ପ୍ରସ୍ତୁତ କରିପାରୁ ନାହାନ୍ତି କି ଯାହା ପୁର୍ବରୁ ପ୍ରସ୍ତୁତ ହୋଇ ଥିଲା ତାହାକୁ ବିକ୍ରୀବଟା କରିପାରୁ ନାହାନ୍ତି । ଫଳରେ ଏବେ ଦୁଇଶହରୁ ଉର୍ଦ୍ଧ ପରିବାର ଏବେ ହାତବାନ୍ଧି ବସିଛନ୍ତି । ପରିବାର ଚଳାଇବା ଏବେ ତାଙ୍କ ପାଇଁ ଦୁର୍ବସହ ହୋଇପଡିଛି । ଗୋଟିଏପଟେ ଋଣ ସୁଝିବା ପାଇଁ ମହାଜନଙ୍କ ତାଗିଦା ଆଉ ଗୋଟିଏ ପଟେ ପରିବାର ବୋଝ ସେମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଲାଣି । ଅନେକ ଲୋକ ଏବେ କାରିଗରୀ କାମ ଛାଡି ଚାଷବାସ କରିବାକୁ ବାହାରି ପଡିଲେଣି । ଏଣୁ ଏହି କୁଟୀର ଶିଳ୍ପ କାରିଗର ମାନଙ୍କ ମନୋବଳ ଦୃଢ଼ କରିବା ସହିତ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଉଦୟ ଗିରି, ବନମାଳି ଗିରି, ରତ୍ନାକର ସା, ସିଲୁ ସା, ଅଲେଖ ଜେନା, ଦମୟନ୍ତୀ ଜେନା, ରଙ୍କନାଥ ଜେନା, ଗୁନ ସା, ପିତାମ୍ବର ସା, କ୍ଷୀରୋଦ ଜେନା, ଭଜମନ ଗିରି, ଜୟକୃଷ୍ଣ ସାହୁ, ଗୁରିଆ ସାହୁ, ବିଷ୍ଣୁ ଘଡେଇ, ଧନେଶ୍ୱର ଘଡେଇ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ