ଗୁଣ୍ଡ୍ରିଗୁଡା ଗ୍ରାମବାସୀ ନିର୍ମାଣ କରିଥିବା ଅସ୍ଥାୟୀ ପୋଲ ଅଦିନିଆ ବର୍ଷାରେ ଧୋଇ ଗଲା

ମୋହନା, (ଅଂଶୁମାନ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ବ୍ଳକର ଉନ୍ନତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବର୍ତମାନ ସୁଦ୍ଧା ମୋହନା ପଂଚାୟତ ଅଧିନ ଗୁଣ୍ଡ୍ରିଗୁଡା ନଦୀ ସାଜିଛି କଂଟା । ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ପଂଚାୟତ ଠାରୁ ମାତ୍ର ୩ କି.ମି ଦୂରରେ ରହିଥିବା ଗୁଣ୍ଡ୍ରିଗୁଡା, ଧନୁପଙ୍କ, ବାଢେଇପୁର, ଅଂଳଗୁଡା, ମରିଚିମା, କାମିଲିଗୁଡା ଗ୍ରାମ । ରାତି ପାହିଲେ ବିଭିନ୍ନ କାମ ନେଇ ଗ୍ରାମ ଗୁଡିକରୁ ଶତାଧିକ ଲୋକ ଏବଂ ଛାତ୍ରଛାତ୍ରୀ ମୋହନା ବ୍ଳକ, ତହସିଲ, ବ୍ୟାଙ୍କ, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିଥାନ୍ତି । କିନ୍ତୁ ମୋହନା ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କି.ମି ଦୁରରେ ପ୍ରବାହିତ ହେଉଥିବା ହରଭଙ୍ଗୀ ନଦୀ ଏମାନଙ୍କ ପାଇଁ ସାଜିଛି କଂଟା । ବର୍ଷାଦିନ ହେଲେ ଗମନା ଗମନ ଓ ଜରୁରୀ କାମ ଠପ ହୋଇଯାଉଥିବା ବେଳେ ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଓ ବଢିଲା ପାଣିରେ ଦୋଳା କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ନଜିର ମଧ୍ୟ ରହିଛି । ହରଭଙ୍ଗୀ ନଦୀ ଉପରେ କଂକ୍ରିଟ ପୋଲ କିମ୍ବା ଝୋଲା ପୋଲ ନିର୍ମାଣ କରିବା ପାଇଁ ଅଂଚଳର ବହୁ ଗ୍ରାମବାସୀ ମୋହନାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଳୀରେ ଓ ଜିଲ୍ଲା ମହକୁମାକୁ ଯାଇ ଜିଲ୍ଲାପାଳ ଓ ସାଂସଦ ଓ ବିଧାୟକଙ୍କ ମଧ୍ୟ ଲିଖିତ ଓ ମୌଖିକଭାବେ ଜଣାଇଛନ୍ତି । କେବଳ ସାଂସଦ, ବିଧାୟକ ଓ ପ୍ରଶାସନ ପ୍ରତିଶ୍ରୁତି ଦେବା ହିଁ ସାର ହୋଇଛି । ଏଥିପ୍ରତି ପ୍ରଶାସନର ଆନ୍ତରିକତା ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଗ୍ରାମଗୁଡିକରେ ବସବାସ କରୁଥିବା ପ୍ରାୟ ୩ ହଜାର ଲୋକ ବର୍ଷର ୧୦ମାସ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କିଛି ଗ୍ରାମକୁ ରାସ୍ତା ନିର୍ମାଣ କରାଯାଇଛି ହେଲେ ନଦୀରେ ପୋଲ ନିର୍ମାଣ ହୋଇପାରିନି । ଏହି ସମସ୍ତ ଅସୁବିଧାକୁ ଦେଖି ଗୁଣ୍ଡ୍ରିଗୁଡା ଗ୍ରାମର ଆବ୍ରାହାମ ମଣ୍ଡଳ, ହେବଲ ଗମାଙ୍ଗ, ଲୋକ ମଣ୍ଡଳ, ପ୍ରକାଶ ମଣ୍ଡଳ, ସୁମଲ୍ୟ ମଣ୍ଡଳ, ନିଥିନିଏଲ ମଣ୍ଡଳ, ଆନ୍ତିନିଏଲ ମଣ୍ଡଳ, ସନ୍ତୋଷ ମଣ୍ଡଳ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ୍ୟ ହାତପାଣ୍ଠିରୁ ଟଙ୍କା ସଂଗ୍ରହ କରି ନିଜ ପରିଶ୍ରମରେ ୮ଟି କଂକ୍ରିଟ ନଳା କିଣି ହରଭଙ୍ଗୀ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ । କିନ୍ତୁ ଗତ ଏପ୍ରିଲ ମାସରେ ଅଦିନିଆ ବର୍ଷାରେ ବଢିଲା ନଦୀରେ ବଢି ପାଣି ଆସିବାରୁ ଅସ୍ଥାୟୀ ପୋଲଟି ବନ୍ୟା ଜଳରେ ଧୋଇ ହୋଇଗଲା । ପୁଣି ଯଥା ପୂର୍ବଂମ ତଥା ପରମ୍ ନ୍ୟାୟରେ ପୋଲର ନଳା ଗୁଡିକ କେବଳ ନଦୀ ଭିତରେ ରହିଯାଇଛି । ସେମାନଙ୍କର ଏପରି କାର୍ଯ୍ୟକୁ ଦେଖି ଅଂଚଳବାସୀ ସାଧୁବାଦ ଜଣାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବର୍ଷା ଦିନ ଆସିବା ପୂର୍ବରୁ ପ୍ରଶାସନ ଏହି ନଦୀ ଉପରେ ପୋଲ ନିର୍ମାଣ କରିପାରନ୍ତା ଅଂଚଳବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୁରଣ ହୁଅନ୍ତା ବୋଲି ମତପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ସେ ଉକ୍ତ ପୋଲଟିକୁ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିବା କହିବା ସହ ଗ୍ରାମବାସୀଙ୍କ ଗମନା ଗମନର ଘୋର ଅସୁବିଧାକୁ ଦେଖି ନିଜସ୍ୱ ଉଦ୍ୟମରେ କିଭଳି ପୋଲଟି ବର୍ଷାଦିନ ପୂର୍ବରୁ କାର୍ଯ୍ୟକ୍ଷମ ହେବ ସେଥି ପ୍ରତି ଚେଷ୍ଟା ଜାରି ରଖିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ