ସମସ୍ୟାରେ ସେସୁ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସରକାରଙ୍କ ଏକ ଅତ୍ୟାବଶ୍ୟକ ସରବରାହ ସେବା ସଂସ୍ଥା ଭାବେ ପରିଗଣିତ ହେଉଛି ବିଦ୍ୟୁତ ବିଭାଗ ବା ସେଂଟ୍ରାଲ ଇଲେକଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ )ା କେନ୍ଦ୍ରାପଡା ସେସୁ ଡିଭିଜନ ଅଧିନସ୍ତ ୨ନମ୍ବର ସେକସନ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଟି ମରାମତି ଅଭାବରୁ ଅତି ବିପଦଜନକ ଅବସ୍ଥାରେ ରହିଥିବା ଦେଖାଯାଇଛି । ସେହି କାର୍ଯ୍ୟାଳୟ ଗୃହର ଛାତରୁ ସିମେଂଟ ଖଣ୍ଡ ଖଣ୍ଡ ହୋଇ ଗଳୁଥିବା ବେଳେ କବାଟଟି ଉଇଖାଇ ଭାଙ୍ଗିଯିବାକୁ ବସିଲାଣି । ଘରର କାନ୍ଥରୁ ପିସ ପିସ ହୋଇ ସିମେଂଟ ଛାଡି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଘରଟିର ଛାତରୁ ଲୁହାରଡ ଦେଖାଯାଉଥିବା ବେଳେ ଅତ୍ୟନ୍ତ ଅସୁରଖିତ ଭାବରେ ସେହି ଗୃହରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଜଣକ ବସି କାର୍ଯ୍ୟ କରୁଛନ୍ତି । ସେହି କାର୍ଯ୍ୟାଳୟରେ ସିଲିଙ୍ଗ ଫ୍ୟାନଟି ଏପରି ଅବସ୍ଥାରେ ରହିଛି ଯେ କନିଷ୍ଠ ଯନ୍ତ୍ରୀଙ୍କ ବସିବା ସ୍ଥାନକୁ ପବନ ହେଉନଥିବାରୁ ଯନ୍ତ୍ରୀ ଜଣକ ନିଜ ଘରୁ ଏକ ଷ୍ଟାଣ୍ଡ ଫ୍ୟାନ ଆଣି ସେହି ସ୍ଥାନରେ ରଖିଥିବା ଦେଖାଯାଇଛି । ନିଜ ଜୀବନକୁ ବିପନ୍ନକରି କନିଷ୍ଠ ଯନ୍ତ୍ରୀ ଜଣକ ସେହି ସ୍ଥାନରେ ବସି କାର୍ଯ୍ୟ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ସେହି ଘର ଭିତରେ ଥିବା ବେଳେ ସେଥିପ୍ରତି ସଂପୃକ୍ତ ବିଭାଗୀୟ କତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅତ୍ୟନ୍ତ ପରିତାପର ବିଷୟ । ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ । ଏତଦଭିନ୍ନ କୋଭିଡ -୧୯ ସମୟରେ ଏହି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ ସଂପାଦନ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଇନଥିବା ଦେଖାଯାଇଛି । ଡାକ୍ତର, ନର୍ସ ପ୍ରଭୃତି ମେଡିକାଲ ଷ୍ଟାଫ ଏବଂ ପୋଲିସମାନଙ୍କ ପାଇଁ ସରକାର କରୋନା ସହାୟତା ଘୋଷଣା କରିଥିଲେ ମଧ୍ୟ ଦିନରାତି ଦାୟୀତ୍ୱ ନିର୍ବାହ କରୁଥିବା ସେସୁର କର୍ମଚାରୀମାନଙ୍କ ପାଇଁ କୈାଣସି କରୋନା ସହାୟତା ସରକାର ଘୋଷଣା କରିନଥିବାରୁ ସଂପୃକ୍ତ ବିଭାଗର କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ମନବଳ ଭାଙ୍ଗିଯାଉଥିବାର ଦେଖାଯାଇଛି ।


