କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ଆଦିକୁ ଗୁରୁତ୍ବ ଦିଆଯାଇଛି । ଆଜି ୧୧ଟି କ୍ଷେତ୍ରରେ ବଡ ଘୋଷଣା କରାଯାଇଛି । ସେଥିମଧ୍ୟରୁ ୮ ଟି ବିଭିନ୍ନ ବିଭାଗର ଭିତ୍ତିଭୂମି ପାଇଁ ହୋଇଥିବାବେଳେ ଅନ୍ୟଟ ତିନୋଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ପାଇଁ ଘୋଷଣା ହୋଇଛି । ଗତ ଦୁଇ ମାସରେ ୭୪, ୩୦୦ କୋଟିର ଦ୍ରବ୍ୟ ଚାଷୀଙ୍କ ଠାରୁ କିଣାଯାଇଛି। ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି। ଗତ ୨ ମାସ ମଧ୍ୟରେ ୧୮, ୭୦୦ କୋଟି ଟଙ୍କା ଡିବିଟିରେ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ପ୍ରାଥମିକତା ସମବାୟ ସମିତି, କୃଷକ ସମିତି ପାଇଁ ୧ ଲକ୍ଷ କୋଟି ସହାୟତାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଭିତ୍ତିଭୂମି ନିର୍ମାଣ, କୃଷିଜାତ ଦ୍ରବ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ ପାଇଁ ୧ ଲକ୍ଷ କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଲଷ୍ଟର ନିର୍ମାଣ ପାଇଁ ୧୦ ହଜାର କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ବିଭିନ୍ନ ଅଞ୍ଚଳର ଉତ୍ପାଦନ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର ନିର୍ମାଣ ହେବ । ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟିର ଅନୁଦାନ ଦିଆଯାଇଛି । ସେହିପରି ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ମତ୍ସ୍ୟ ଚାଷ ପାଇଁ ୧୧ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ । ସେହିପରି ଫିସିଂ ହାର୍ବର, ମାର୍କେଟ୍ ମଣ୍ଡି ନିର୍ମାଣ ପାଇଁ ୯ ହଜାର କୋଟି ଦିଆଯିବ । ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ବାରା ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ବୋଲି କହିଛନ୍ତି ସୀତାରମଣ । ପଶୁଙ୍କ ଟୀକାକରଣ ପାଇଁ ୧୩ ହଜାର ୩୪୩ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ପ୍ୟାକେଜ୍ ଜରିଆରେ ୫୩ କୋଟି ଗୋରୁଗାଈ ମଇଁଷିଙ୍କୁ ଟୀକାକରଣ କରାଯିବ । ଗୋପାଳନ ଡାଏରୀ ପାଇଁ ୧୫ ହଜାର କୋଟି ଖର୍ଚ୍ଚ ହେବ । ଦୁଗ୍ଧ ପ୍ରୋସେସିଂ ପ୍ଲାଣ୍ଟ, ଗୋଖାଦ୍ୟ କାରଖାନା ଆଦି ସ୍ଥାପନ ହେବ । ଔଷଧୀୟ ବୃକ୍ଷ ରୋପଣ ପାଇଁ ୪ ହଜାର କୋଟିର ପ୍ୟାକେଜ୍ର ଘୋଷଣା କରାଯାଇଛି । ମହୁଚାଷକୁ ପ୍ରୋତ୍ସାହନ ପାଇଁ ୫୦୦ ଶହ କୋଟିର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।