ଜିଲ୍ଲାରେ ପୁଣି ୪ କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ପୁଣି ୪ ଜଣ କରୋନା ପଜିଟିଭ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଏହି ୪ଜଣ କରୋନା ପଜିଟିଭ ହେଉଛନ୍ତି ମାର୍ଶାଘାଇ ବ୍ଲକର ୩ଜଣ ଓ ମହାକାଳପଡା ବ୍ଲକ ର ଜଣେ । ସେମାନେ ସମସ୍ତେ ସୁରତ ଫେରନ୍ତା ଏବଂ ସେମାନେ ସୁରତରୁ ଫେରି ସଂପୃକ୍ତ ବ୍ଲକ ଅଚଂଳର କ୍ୱାରେଂଟାଇନ କେନ୍ଦ୍ରରେ ରହୁଥିଲେ । ପଜିଟିଭ ବାହାରିବା ପରେ ସେମାନଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସପିଟାଲକୁ ପଠାଇଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେମାନେ ରହୁଥିବା ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଓ ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ୟ ପ୍ରବାସୀମାନଙ୍କ ସ୍କ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏହା ପୂର୍ବରୁ କେନ୍ଦ୍ରାପଡା, ରାଜକନିକା ଓ ମହାକାଳପଡା ବ୍ଲକ ଅଂଚଳର ୧୩ଜଣ ସୁରତ ଫେରନ୍ତାଙ୍କ କରୋନା ପଜିଟିଭ ବାହାରିଥିଲା । ଏହାକୁ ମିଶାଇ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୨୬ରେ ପହଁଚିଛି । ୨ଜଣ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଥିଲା ।