ପୁଣି ଫେରିଲା ‘ମୋ ସାଇକେଲ’
ଭୁବନେଶ୍ୱର: ଲକଡାଉନ ହେବା ଦିନଠାରୁ ଅଚଳ ହୋଇପଡ଼ିଥିବା ‘ମୋ ସାଇକେଲ’ ପୁଣି ଗଡ଼ିବ । ସୋମବାରଠାରୁ ୩୦୦ଟି ମୋ ସାଇକେଲ ୫୦ଟି ପବ୍ଲିକ ବାଇକ ସେୟାରିଙ୍ଗ (ପିବିଏସ) ଷ୍ଟେସନରେ ଉପଲବ୍ଧ ହେବ । ଲୋକମାନେ ମୋ ସାଇକେଲ ଆପରେ ଲକ୍ ଖୋଲି ସାଇକେଲ ଚଳାଇ ପାରିବେ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।
ପ୍ରାୟ ୫୦ ଦିନ ମୋ ସାଇକେଲ ଗଡ଼ି ନଥିବାରୁ ଏହାକୁ ମରାମତି କରି ବିଶୋଧନ କରାଯାଉଛି । ଅଧିକରୁ ଅଧିକ ଲୋକ ଯେପରି ମୋ ସାଇକେଲ ଚଳାଇବେ, ସେଥିପାଇଁ ଜୁନ ୩୦ ପର୍ଯ୍ୟନ୍ତ ଚଳାଇବା ମାଗଣା କରାଯାଇଛି । ହେଲେ ଏଥିପାଇଁ ସର୍ତ୍ତ ରଖାଯାଇଛି ଯେ ଜଣେ ଲୋକ ଥରେ ରାଇଡ ଆରମ୍ଭ କଲେ ୩୦ ମିନିଟ ପର୍ଯ୍ୟନ୍ତ ମାଗଣା ଚଳାଇ ପାରିବେ । ଏହା ପରେ ଯଦି ସାଇକେଲ ଚଳାଇବେ, ତେବେ ପ୍ରଚଳିତ ଭଡ଼ା ପଡ଼ିବ । ହେଲେ ୩୦ ମିନିଟ ପରେ ସାଇକେଲ ଲକ କରି ପୁଣି ଅନଲକ କରି ଚଳାଇଲେ କୌଣସି ଭଡ଼ା ପଡ଼ିବନି । ଦିନକୁ ଏକାଧିକ ଥର ସାଇକେଲ ଚଳାଇ ପାରିବେ । କିନ୍ତୁ ପ୍ରତି ଥରେ ୩୦ ମିନିଟ ପର୍ଯ୍ୟନ୍ତ ମାଗଣା ଚଳାଇବାକୁ ଅନୁମତି ମିଳିବ । ଏବେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ୫୦ଟି ପିବିଏସରେ ମୋ ସାଇକେଲ ଉପଲବ୍ଧ ହେବ । ଏବେ ୟାନା ଓ ୟୁଲୁର ୩୦୦ଟି ସାଇକେଲ ଉପଲବ୍ଧ ହେବ । ପ୍ରତ୍ୟେକ ସାଇକେଲ ବ୍ୟବହାର ପରେ ତାହାକୁ ବିଶୋଧନ କରାଯିବ । ବିଶୋଧନ ହେବା ପରେ ହିଁ ଲୋକ ସାଇକେଲ ଚଳାଇବେ । ସେହିପରି ମୋ ସାଇକେଲ ବ୍ୟବହାର ସମୟରେ ମାସ୍କ ଓ ଗ୍ଲୋବସ ବ୍ୟବହାର କରିବାକୁ ଏବଂ ସାଇକେଲ ଷ୍ଟେସନରେ ସାମାଜିକ ଦୂରତା ରଖିବାକୁ କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ।


