ଧାନ ଫସଲରେ ରୋଗପୋକ ନେଇ କୃଷି ବିଭାଗର ତତ୍ପରତା

ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଧାନ ଫସଲରେ ପତ୍ରପୋଡ଼ା, ମହିଷା ରୋଗ, ମାଟିଆଗୁଣ୍ଡି ପୋକ ଆଦି ଲାଗିଥିବା ଖବର ପ୍ରକାଶ ପାଇବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ, କୃଷି ଅଧୀଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀମାନେ ବିଭିନ୍ନ ଅଞ୍ଚଳର ଧାନ ଜମିକୁ ଯାଇ ଫସଲର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନଙ୍କୁ ରୋଗ ଓ ପୋକ ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କୃଷି ବିଭାଗର ଏକ ଟିମ୍ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତର କରତାଳି ଗ୍ରାମର ଧାନ ଜମି ପରିଦର୍ଶନ କରିଥିଲେ। ଟିମ୍‌ର ସଦସ୍ୟମାନେ ଧାନ ଫସଲରେ ଲାଗିଥିବା ରୋଗ ଓ ପୋକର ସ୍ଥିତି ଅନୁଧ୍ୟାନ କରିବା ସହ ଉପସ୍ଥିତ ଚାଷୀମାନଙ୍କୁ ଏହାର ପ୍ରତିକାର ଓ ନିୟନ୍ତ୍ରଣ ପାଇଁ ବିଭିନ୍ନ କୃଷି ପରାମର୍ଶ ପ୍ରଦାନ କରିଥିଲେ। ଏହି ଟିମ୍‌ରେ କୃଷି ବିଜ୍ଞାନ କେନ୍ଦ୍ର-୨, ଗୋଳନ୍ଥରାର ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ କୁମାର ନାଥ, ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ  ରଶ୍ମିତା ମହାପାତ୍ର, କୃଷି ବୈଜ୍ଞାନିକ ଡ. ସନ୍ଦୀପ ମହାନ୍ତି, ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ   ଚୌଧୁରୀ ସାନମାର୍ଗ କର, କୃଷି ଅଧୀଦର୍ଶକ  ଦୁର୍ଗା ପ୍ରସାଦ ପ୍ରଧାନ ଓ ଗ୍ରାମ୍ୟ କୃଷି କର୍ମଚାରୀ  ବୈରାଗୀ ସ୍ୱାଇଁ ଉପସ୍ଥିତ ଥିଲେ। ଏହି ଅବସରରେ ଚାଷୀ ହେମନ୍ତ ନାହାକ, ସଞ୍ଜୟ ନାହାକ, ବାସୁଦେବ ପ୍ରଧାନ, ଘନଶ୍ୟାମ ମୁଦୁଲି, ମୋହନ ରେଡ୍ଡୀ, ହାଡୁ ରେଡ୍ଡୀ ଓ ସୋମନାଥ ନାହାକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଧାନ ଫସଲରେ ରୋଗପୋକ ଦେଖାଦେଲେ ନିଜେ ଅନୁମାନ କରି କୌଣସି ଔଷଧ ପ୍ରୟୋଗ ନକରି କୃଷି ବିଭାଗର କର୍ମଚାରୀଙ୍କ ପରାମର୍ଶ ନେବାକୁ ସଚେତନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ