ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ ଆଜେଭେଡୋ
ଜାତିସଂଘ: ମହାମାରୀ କୋରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜ୍ୟିକ ଓ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ସମୟରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ମୁଖ୍ୟ ରୋବର୍ଟୋ ଆଜେଭେଡୋ ସମାଲୋଚନାର ଶିକାର ହୋଇ ନିଜ ପଦ ଛାଡ଼ିଛନ୍ତି। ଗୁରୁବାର ଅନୁଷ୍ଠିତ ଡବ୍ଲ୍ୟୁଏଚ୍ଓ ବୈଠକରେ ସେ ଏଭଳି ଘୋଷଣା କରିଛନ୍ତି। ବର୍ଷକ ପୂର୍ବରୁ ସେ ନିଜ ପଦ ଛାଡ଼ି ଉତ୍ତରାଧିକାରୀ ନିଯୁକ୍ତି ଲାଗି ପଥ ପରିଷ୍କାର କରିଥିବା କହିଛନ୍ତି। ବାଣିଜ୍ୟିକ କାରବାର ହ୍ରାସ ଓ ଆର୍ଥିକ କ୍ଷତି ଯୋଗୁ ତାଙ୍କୁ ହଟାଇବା ଲାଗି ବିଭିନ୍ନ ଆଡ଼ୁ ଚାପ ପଡ଼ୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଡବ୍ଲ୍ୟୁଟିଓ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ବାଣିଜ୍ୟିକ କ୍ଷତି ସହ ଶିଳ୍ପାୟନକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକ ଚୀନକୁ ଫାଇଦା ପହଞ୍ଚାଉଥିବା ଅଭିଯୋଗ ଆଣିଥିଲେ। ଭାରତ ସହ ବାଣିଜ୍ୟିକ ବିବାଦର ସମାଧାନ ଲାଗି ଆମେରିକା ଡବ୍ଲ୍ୟୁଟିଓ ଉପରେ ଚାପ ପକାଇ ଆସୁଥିଲା। କୋରୋନା ସ୍ଥିତି ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିବାରୁ ବାଧ୍ୟହୋଇ ନିଜ ପଦରୁ ହଟିଯାଇଥିବା ଆଜେଭେଡୋ ପ୍ରକାଶ କରିଛନ୍ତି।


